Latest Odisha News

BREAKING NEWS

ହେଟ୍ ସ୍ପିଚକୁ ନେଇ ମିଡିଆ ଉପରେ ବର୍ଷିଲ ସୁପ୍ରିମକୋର୍ଟ, ‘ଏହା କାହାରିକୁ ହତ୍ୟା ଭଳି’

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣ୍ୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ମିଡିଆ ଉପରେ ଖୁବ୍ ବର୍ଷିଛନ୍ତି । ଏଥିସହ ଆଖି ବୁଜି କିଭଳି କେନ୍ଦ୍ର ସରକାର ଏସବୁକୁ ଦେଖୁଛନ୍ତି ସେ ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ସବୁଠୁ ଅଧିକ ଘୃଣ୍ୟ ମନ୍ତବ୍ୟ ମିଡିଆ ଓ ସୋସିଆଲ୍ ମିଡିଆରେ ଦିଆଯାଉଛି । ଆମ ଦେଶ କେଉଁଆଡ଼େ ଗତି କରୁଛି ? ଟିଭି ଆଙ୍କରଙ୍କ ବଡ଼ ଦାୟିତ୍ୱବୋଧ ରହିଛି । କିନ୍ତୁ ଟିଭି ଆଙ୍କର ଅତିଥିଙ୍କୁ ସମୟ ଦେଉ ନାହାନ୍ତି । ଏଭଳି ମାହୋଲକୁ ନେଇ କେନ୍ଦ୍ର ସରକାର କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

ହେଟ୍ ସ୍ପିଚ୍ ରୋକିବାକୁ କଡ଼ା ନିୟମ ଆଣିବା ଆବଶ୍ୟକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦୁଇ ସପ୍ତାହ ମଧ୍ୟରେ ମାମଲା ଉପରେ କେନ୍ଦ୍ର ସରକାର ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଘୃଣ୍ୟ ମନ୍ତବ୍ୟକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ କେ.ଏମ୍ ଜୋସେଫ୍ ବଡ଼ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି ‘ରାଜନୈତିକ ଦଳ ଏହାକୁ ପୁଞ୍ଜି କରନ୍ତି ଏବଂ ଟିଭି ଚ୍ୟାନେଲ୍ ଏକ ମାଧ୍ୟମ ଭାବେ କାମ କରୁଛି । ସବୁଠୁ ଅଧିକ ଘୃଣା ଭାଷଣ ଟିଭି, ସାମାଜିକ ଗଣମାଧ୍ୟମରେ ହେଉଛି । କିନ୍ତୁ ଦୁର୍ଭାଗ୍ୟ ଟିଭି ପାଇଁ ଆମ ପାଖେ କୌଣସି ନିୟମ ନାହିଁ । ଇଂଲଣ୍ଡର ଟିଭି ଚ୍ୟାନେଲ୍ ଉପରେ ମୋଟା ଅଙ୍କର ଜରିମାନା କରାଯାଇଥିଲା । ଦୁର୍ଭାଗ୍ୟ ଉକ୍ତ ବ୍ୟବସ୍ଥା ଭାରତରେ ନାହିଁ ।’

ଜଷ୍ଟିସ୍ କେ.ଏମ୍ ଜୋସେଫ୍ ଆହୁରି କହିଛନ୍ତି, ‘ଆଙ୍କର କହିବା ଉଚିତ୍ ଆପଣ ଯଦି ଭୁଲ୍ କରୁଛନ୍ତି ତ ପରିଣାମ ଭୋଗିବାକୁ ପଡ଼ିବ । ସମସ୍ୟା ସେତେବେଳେ ଯେବେ ଆପଣ କୌଣସି କାର୍ଯ୍ୟକ୍ରମ ବେଳେ କୌଣସି ବ୍ଯକ୍ତିଙ୍କ ଉପରେ ଚଢ଼ି କରି କୁହନ୍ତି । ଯେବେ ମଧ୍ୟ ଟିଭି ଅନ୍ କଲେ ଏହା ଦେଖିବାକୁ ମିଳୁଛି । ଯେଉଁଥିରୁ ରାଜନେତା ଲାଭ ଉଠାଉଛନ୍ତି ।’

ଦେଶରେ ନିର୍ବାଚନ ସମୟରେ ହେଟ୍ ସ୍ପିଚ୍ ରୋକିବାକୁ ଆଇନ୍ ରହିଛି । କିନ୍ତୁ ଅନ୍ୟ ସମୟରେ ହେଟ୍ ସ୍ପିଚ୍ ଅଥବା ଗୁଜବ ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଏହା ପୂର୍ବରୁ ଜୁଲାଇରେ ସୁପ୍ରିମକୋର୍ଟ ହେଟ୍ ସ୍ପିଚକୁ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଥିଲେ ।

Comments are closed.