ରାଜସ୍ଥାନ:ସାଧାରଣତଃ ରୁଟି ୬ ରୁ ୭ ଇଞ୍ଚର ହୋଇଥାଏ । ଏହି ଆକାରର ତିନି କିମ୍ବା ଚାରିଟି ରୋଟି ଲୋକେ ଖାଇଥାନ୍ତି । କିନ୍ତୁ ଏପରି ଏକ ରୁଟି ଅଛି ଯାହାକୁ ଜଣେ ବ୍ୟକ୍ତି ଖାଇବା ପୂର୍ବରୁ ଚିନ୍ତା କରିବେ ଯେ, କିପରି ଏହାକୁ ସମ୍ପୂର୍ଣ୍ଣ ଶେଷ କରିବେ । ଏହା ହେଉଛି ରାଜସ୍ଥାନର ସବୁଠାରୁ ବଡ ରୋଟି । ଏହି ରୋଟିର ଆକାର ୧୮ ଇଞ୍ଚ । ଏଠାରେଏହି ରୋଟିର ଚାହିଦା ଟିକେ ଅଧିକ ।
ରାଜସ୍ଥାନ ଯୋଧପୁରସ୍ଥିତ ବିକାନେର୍ ବାଇପାସରେ ରହିଛି ଭେରି ତେଜାଜୀ ହୋଟେଲ । ଏହି ହୋଟେଲ ନିଜ ସ୍ୱତନ୍ତ୍ର ରୁଟି ପାଇଁ ଖୁବ୍ ପ୍ରସିଦ୍ଧ । ଏଠାରେ ୧୮ ଇଞ୍ଚର ରୁଟି ମିଳିଥାଏ । ଆଗରୁ ଏହି ରୁଟି କେବଳ ଗୋଟିଏ ଦୋକାନରେ ଉପଲବ୍ଧ ହେଉଥିଲା । କିନ୍ତୁ ଏହି ରୁଟିର ଚାହିଦା ବଢିବାରୁ ସହରର ରାଜପଥରେ ଥିବା ଅନ୍ୟ ଡ଼ାବାଗୁଡ଼ିକରେ ଏବେ ଏହି ରୁଟି ଉପଲବ୍ଧ । ଏହାକୁ ଖାଇବାକୁ ଅନ୍ୟ ସହରରୁ ମଧ୍ୟ ଲୋକମାନେ ଏଠାକୁ ଆସିଥାନ୍ତି ।
ହୋଟେଲ ମାଲିକ ମହାବୀର ସିଂ କହିଛନ୍ତି ଯେ, ଏହି ରୁଟି ବିକାନେରରେ ବହୁତ ପ୍ରସିଦ୍ଧ ହୋଇଛି । ଗୋଟେ ରୁଟି ଅଧା କିଲୋ ମଇଦାରୁ ହିଁ ତିଆରି ହୋଇଥାଏ । ଏଥିସହିତ ଏହା କୋଇଲା ନିଆଁରେ ଦେଶୀ ଉପାୟରେ ରନ୍ଧାଯାଇଥାଏ, ଯାହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ପ୍ରାୟ ପାଞ୍ଚ ମିନିଟରେ ଏହି ରୁଟି ପ୍ରସ୍ତୁତ ହୋଇଯାଏ । ଆଉ ଏହି ଆକାର ରୁଟିର ଦାମ ୬୦ ଟଙ୍କା । ଏବେ ଗହମ ମଇଦାରେ ତିଆରି ହେଉଥିବାରୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏହି ରୁଟି ସହିତ ଲୋକମାନେ ଦେଶୀ ଲହୁଣି, ଚିନି ଏବଂ ମିକ୍ସ ତରକାରୀ ଖାଇଥାନ୍ତି । ଏହି ରୁଟି ପ୍ରଥମେ ଯିଏ ଦେଖନ୍ତି, ଡ଼ରି ଯାଆନ୍ତି । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏଠାକୁ କେବଳ ଏହି ରୁଟି ଖାଇବାକୁ ଆସନ୍ତି ।
ବାସ୍ତବରେ ବିକାନେରର କୋଲାୟତ ତହସିଲର ଭନେରା ଗାଁର ଲୋକମାନେ ପ୍ରଥମେ ଏହି ରୁଟି ତିଆରି କରିବା ଆରମ୍ଭ କରିଥିଲେ । ଏହା ପରେ ଏହି ଗାଁର ଲୋକମାନେ ଏକ ଡାବାରେ ତିଆର କଲେ । ତା’ପରେ ଏହି ରୁଟି ସହରର ରାଜପଥ ପାର୍ଶ୍ୱରେ ଥିବା ଅନେକ ଢାବାରେ ପ୍ରସ୍ତୁତ କରାଯାଉଛି ।
Comments are closed.