Latest Odisha News

BREAKING NEWS

ବ୍ରହ୍ମପୁର ମହାନଗର ନିଗମ ତରଫରୁ ନଷ୍ଟ କରାଗଲା ପଚା ଖାଦ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ତରଫରୁ ଶୁକ୍ରବାର ସହରର ବିଭିନ୍ନ ହୋଟେଲ୍‌ରେ ଚଢ଼ଉ କରାଯାଇ ଖାଦ୍ୟର ମାନ ଦେଖାଯାଇଥିଲା । ବିଏମ୍‌ସିର ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଗଠିତ ଏକ ଟିମ୍‌ ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ମିତା ଖାଡ଼ଙ୍ଗାଙ୍କ ନେତୃତ୍ବରେ ଚଢ଼ଉ ସହ ପଚା ଖାଦ୍ୟ ନଷ୍ଟ କରାଯାଇଛି ।

BjdElectrycity

ପ୍ରଥମେ ସହରର କମାପଲୀ, ଆଙ୍କୁଲି ଓ ଲାଞ୍ଜିପଲୀ ଆଦି ଅଞ୍ଚଳର ଛକ ଗୁଡିକରେ ଥିବା ଫାଷ୍ଟଫୁଟ୍‌ ସେଣ୍ଟରେ ବିକ୍ରି ହେଉଥିବା ଖାଦ୍ୟର ଯାଞ୍ଚ କରିଥିଲା । ଖାଦ୍ୟ ରନ୍ଧା ସ୍ଥାନକୁ ଯାଇ କେମିତି ରୋଷେଇ ହେଉଛି, ତାହା ପରୀକ୍ଷା କରିଥିଲେ । ଖାଦ୍ୟ ପ୍ରସ୍ତୁତିରେ କଣ ସବୁ ଦ୍ରବ୍ୟ ଏବଂ ରଙ୍ଗ ମିଶ୍ରଣ ହେଉଛି, ଦେଖିଥିଲେ । ମାତ୍ରାଧିକ ରଙ୍ଗ ମିଶ୍ରଣ ହେଉଥିବା ଯୋଗୁ ତାଗିଦ୍‌ କରିଥିଲେ ।

ଏଥିସହ କମାପଲୀରେ ରହିଥିବା ମିଠା ଦୋକାନରେ ଖାଦ୍ୟ ଯାଞ୍ଚ ହୋଇଥିଲା । ମିଠାରେ କେଉଁ ସବୁ ରଙ୍ଗ ମିଶ୍ରଣ ହେଉଛି ଏବଂ କେମିତି ଉପାୟରେ ପ୍ରସ୍ତୁତ କରାଯାଉଛି, ତାହା ଦେଖିଥିଲେ । ଖାଦ୍ୟର ମାନ ଖରାପ ଥିବା ଏବଂ ପଚା ଖାଦ୍ୟ ବିକ୍ରି ହେଉଥିବା ଯୋଗୁ ସେଗୁଡ଼ିକ ନଷ୍ଟ କରାଯିବା ସହ ୭ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‌ ଜବାବ ଦେବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଇଛି ।

ଏତଦ୍‌ ବ୍ୟତିତ ପୁରୁଣା ବସ ଷ୍ଟାଣ୍ଡର କେତେକ ଆମିଷ ଖାଦ୍ୟ ବିକ୍ରି କରୁଥିବା ଦୋକାନରେ ମଧ୍ୟ ଚଢ଼ଉ ହୋଇଥିଲା । ରଙ୍ଗ ମିଶାଯାଇ ବିକ୍ରି ସାମଗ୍ରୀ ନ ବିକିବା ଓ ତୁରନ୍ତ ଦୋକାନ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହା ପୂର୍ବରୁ ଗୁରୁବାର ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା । ଫାଷ୍ଟ ଗେଟଠାରେ ବେସନ ଦୋକାନ ଓ ଛତୁଆ ଫ୍ୟାକ୍ଟ୍ରିରେ ଯାଞ୍ଚ କରାଯାଇଛି । ଅଳ୍ପ ଜାଗାରେ ବିପୁଳ ପରିମାଣର ସାମଗ୍ରୀ ରଖାଯାଇଥିବା ଯୋଗୁ ତାଗିଦ୍‌ କରାଯାଇଛି।

ଗେଟ ବଜାରଠାରେ ଛତୁଆ ଫାକ୍ଟିରେ ଛତୁଆ ଯାଞ୍ଚ କରିବା ସହ ଏହାର ଗୁଣବତ୍ତା ଯାଞ୍ଚ ପାଇଁ ଲ୍ୟାବ କୁ ପଠାଯାଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ଖାଡ଼ଙ୍ଗା ସୂଚନା ଦେଇଛନ୍ତି । ଆସନ୍ତା ସୋମବାରଠାରୁ ସହରରେ ସ୍ବତନ୍ତ୍ର ଚଢ଼ଉ ଅଭିଯାନ ଚାଲିବ । ଖାଦ୍ୟ ସୁରକ୍ଷା ନିୟମ ଉଲଂଘନ କରୁଥିବା ଫାଷ୍ଟଫୁଟ ସେଣ୍ଟର ଏବଂ ହୋଟେଲ୍‌ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.