ରାଉରକେଲା: ଗତ ଜାନୁଆରୀ ୧୦ରେ ରାଉରକେଲାରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ପାଇଲଟ୍ କ୍ୟାପ୍ଟେନ୍ ନବୀନ କଡାଙ୍ଗା ନିଜ ଦକ୍ଷତା ଦ୍ଵାରା ବିମାନକୁ ଜରୁରୀକାଳୀନ ଅବତରଣ କରାଇଥିଲେ। ଯାହାଫଳରେ ହେବାକୁ ଥିବା ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା।
ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ, ପିଠି, ମୁହଁ, ହାତ ଏବଂ ଗୋଡରେ ଆଘାତ ଲାଗିଥିଲା। ନବୀନ କଡାଙ୍ଗାଙ୍କ ଅସ୍ତ୍ରୋପଚାର କରାଯାଇଥିଲା ବେଳେ ଦୀର୍ଘ ୧୦ ଦିନର ଚିକିତ୍ସା ପରେ ତାଙ୍କୁ ମଙ୍ଗଳବାର ଦିନ ଇସ୍ପାତ ଜେନେରାଲ୍ ହସ୍ପିଟାଲ (IGH)ରୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି। ହସ୍ପିଟାଲ କର୍ମଚାରୀମାନେ ତାଙ୍କ ସାହସିକତା ପାଇଁ ତାଙ୍କୁ ସମ୍ମାନ ଜଣାଇ ଫୁଲ ଏବଂ କେକ୍ ଦେଇ ହୃଦୟର ସହିତ ବିଦାୟ ଦେଇଥିଲେ।
ଡାକ୍ତରୀ ଦଳଙ୍କ ଯତ୍ନ ଏବଂ ଚିକିତ୍ସା ଦ୍ଵାରା ସେ ବହୁତ୍ ଜଲଦି ସୁସ୍ଥ ହୋଇଯାଇଥିବା ପାଇଲଟ୍ କହିଛନ୍ତି। ସଙ୍କଟ ସମୟରେ ସମର୍ଥନ କରିଥିବା ଶୁଭେଚ୍ଛୁମାନଙ୍କୁ ସେ ହୃଦୟର ସହ କୃତଜ୍ଞତା ମଧ୍ୟ ପ୍ରକାଶ କରିଛନ୍ତି। ଏଥିସହିତ ସମସ୍ତ ଆହତ ଯାତ୍ରୀ ସୁସ୍ଥ ହେଉଛନ୍ତି ଏବଂ ସେମାନେ ଶୀଘ୍ର ଘରକୁ ଫେରି ଆସନ୍ତୁ ବୋଲି ପାଇଲଟ୍ ପ୍ରାର୍ଥନା କରିଛନ୍ତି। କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଖୁବଶୀଘ୍ର ଏନେଇ ସୂଚନା ପ୍ରଦାନ କରିବେ ବୋଲି ମଧ୍ୟ କୁହାଯାଇଛି।
ଇଣ୍ଡିଆୱାନ୍ ଏୟାର ଦ୍ୱାରା ପରିଚାଳିତ ଓ ନଅଟି ସିଟ୍ ବିଶିଷ୍ଟ ସେସ୍ନା ଗ୍ରାଣ୍ଡ କାରାଭାନ୍ ବିମାନରେ ଏହି ଦୁର୍ଘଟଣା ଘଟିଥିଲା। ଯାହାକି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାତ୍ରା କରୁଥିଲା। ମଧ୍ୟାହ୍ନ ୧୨:୨୭ ରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଯାନ୍ତ୍ରିକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଯାହାପରେ ନବୀନ କଡାଙ୍ଗା ସହ-ପାଇଲଟ୍ ତରୁଣ ଶ୍ରୀବାସ୍ତବଙ୍କ ସହିତ ମିଶି ବିମାନକୁ ଜନବହୁଳ ଅଞ୍ଚଳରୁ ଦୂରେଇ ଜଲଦା ନିକଟସ୍ଥ ଏକ ଖୋଲା ପଡ଼ିଆରେ ଜରୁରୀ କାଳୀନ ଅବତରଣ କରିଦେଇଥିଲେ। ଏଥିରେ ଦୁଇ ପାଇଲଟ୍ ଏବଂ ଚାରି ଜଣ ଯାତ୍ରୀଙ୍କ ସମେତ ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଅଧିକାଂଶ ଯାତ୍ରୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।
ତେବେ ସେଥିମଧ୍ୟରୁ ଜଣେ ଯାତ୍ରୀ ସୁଶାନ୍ତ କୁମାର ବିଶ୍ବାଳଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜାନୁଆରୀ ୧୭ ତାରିଖରେ ମୁମ୍ବାଇକୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା।