Latest Odisha News

BREAKING NEWS

ବ୍ଲୁମ ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ, ବିଶ୍ବର ଶ୍ରେଷ୍ଠ ୫୦ ସହର ଭିତରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା : ବ୍ଲୁମ ବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ୨୦୨୧ର ଶ୍ରେଷ୍ଠ ୫୦ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ୯୯ଟି ଦେଶର ୬୩୪ ସହର ମଧ୍ୟରୁ ଭାରତର ଦୁଇଟି ସହର ପୁଣେ ଓ ରାଉରକେଲା ସାମିଲ ହୋଇଥିଲେ । ଆଉ ଶ୍ରେଷ୍ଠ ୫୦ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

ପୋଷ୍ଟ କୋଭିଡ ସମୟରେ ଲୋକଙ୍କ ଆର୍ଥିକ ବିକାଶ କିପରି ହେବ ସେନେଇ ପ୍ରସ୍ତାବ ବିଭିନ୍ନ ଇନୋଭେଟିଭ ପ୍ରସ୍ତାବ ଦିଆଯାଇଥିଲା । ସ୍ବାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ସେଥି ମଧ୍ୟରୁ ଅଭିନବ ତଥା ଉଦ୍ଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇପାରିଛନ୍ତି । ଏହି ତାଲିକାରେ ମଧ୍ୟ ସାମିଲ ହୋଇଛି ପୁଣେ ସହର ।

ଏହି ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ମହାନଗର ନିଗମ ଏକ ଅଭିନବ ପ୍ରସ୍ତାବ ଦେଇଥିଲା। ରାଉରକେଲା ସହରରେ ସୌର ଚାଳିତ ତଥା ଚଳମାନ ଶୀତଳଭଣ୍ଡାର ବ୍ୟବସ୍ଥା କରି ଲୋକଙ୍କ ପାଖରେ ତାଜା ପନିପରିବା ଓ ଫଳ ଆଦି ପହଞ୍ଚାଇବାକୁ କହିଥିଲା । ଏହା ମାଧ୍ୟମରେ ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକା ଓ ଆର୍ଥିକ ବିକାଶ ହୋଇପାରିବ ।

ଚୂଡ଼ାନ୍ତ ପ୍ରତିଯୋଗିତା ଜୁନ୍ ୨୩ରୁ ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ସହର ଦେଇଥିବା ପ୍ରସ୍ତାବ ଉପରେ କାମ କରି ତାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବେ। ଏଥିରେ ସଂପୃକ୍ତ ସହର ଗୁଡ଼ିକୁ ବ୍ଲୁମବର୍ଗ ଫିଲାନଥ୍ରପି ଓ ଏହାସହ ଜଡିତ ଥିବା ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଯୋଗାଇ ଦେବେ । ୫୦ ପ୍ରତିଯୋଗୀ ସହର ଭିତରୁ ୧୫ଟି ସହରକୁ ଶ୍ରେଷ୍ଠ ବିବେଚିତ କରାଯିବ । ଏହାସହ ପ୍ରତ୍ୟେକଙ୍କୁ ୧ ନିୟୁତ ଡଲାର ପୁରସ୍କାର ରାଶି ଦିଆଯିବ । ତାସାଙ୍ଗକୁ ବ୍ଲୁମ ବର୍ଗ ପକ୍ଷରୁ ବିଭିନ୍ନ ସ୍ତରରେ ବୈଷୟିକ ସହଯୋଗ ଓ ପରାମର୍ଶ ଯୋଗାଇ ଦିଆଯିବ କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ।

Comments are closed.