ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇଟି ମହାବଳ ବାଘ ବା ରୟାଲ ବେଙ୍ଗଲ ଟାଇଗର ବୁଲୁଛି ଓଡ଼ିଶାର ଜଙ୍ଗଲରେ। ଗୋଟିଏ କେନ୍ଦୁଝର ଜିଲ୍ଲାର ଘଟଗାଁ ଫରେଷ୍ଟ ରେଞ୍ଜରେ ଏବଂ ଅନ୍ୟଟି ବରଗଡ଼ ନିକଟ ଡେବ୍ରିଗଡ଼ ଅଭୟାରଣ୍ୟରେ। କ୍ୟାମେରାରେ କଏଦ ହୋଇଛି ଏହି ଦୁଇ ମହାବଳ ବାଘର ଗତିବିଧି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କେନ୍ଦୁଝରରେ ଥିବା ଏହି ବାଘୁଣୀର ବୟସ ପ୍ରାୟ ୩-୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ରୟାଲ ବେଙ୍ଗଲ ଟାଇଗର କରଞ୍ଜିଆ ଦେଇ ଶିମିଳିପାଳରୁ ସାତକୋଶିଆ ଦେଇ ଘଟଗାଁରେ ପହଞ୍ଚିଥିବା ସନ୍ଦେହ କରାଯାଉଛି। ଶିମିଳିପାଳ ଫେରିବା ବାଟରେ ବାଘର ଗତିବିଧି ଧରାପଡ଼ିଥିବା ସୂଚନା ମିଳିଛି।
ଏହାର ସୁରକ୍ଷା ପାଇଁ କେନ୍ଦୁଝର ବନ ବିଭାଗ ସଜାଗ ରହିଥିବା ବେଳେ ଜଙ୍ଗଲରେ ଏହାର ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ଟିମ୍କୁ ନିୟୋଜିତ କରାଯାଇଛି। ରୟାଲ ବେଙ୍ଗଲ ଟାଇଗରର ଗତିବିଧି ଉପରେ ନଜର ରଖିବା ପାଇଁ ଅଧିକ ସିସିଟିଭି କ୍ୟାମେରା ଲଗାଇବାକୁ ପିସିସିଏଫ୍ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ରୟାଲ ବେଙ୍ଗଲ ଟାଇଗରର ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳରେ ଏହା ବାରମ୍ବାର ବୁଲୁଥିବା ବେଳେ ଅନେକ ସମୟରେ ଶିମିଳିପାଳରୁ ସାତକୋଶିଆ ବୁଲିବା ସହ ଘରକୁ ଫେରିଆସୁଛି। ୩-୪ ବର୍ଷର ଏହି ବାଘ ଏବେ ନିଜର ଅଞ୍ଚଳ ତିଆରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଘଟଗାଁ ଅଞ୍ଚଳରେ ସ୍ଥାନୀୟ ଗ୍ରାମବାସୀଙ୍କ ପ୍ରତି କୌଣସି ବିପଦ ନାହିଁ, କାରଣ ବନ ବିଭାଗ ବାଘର ଗତିବିଧି ଉପରେ ଲଗାତର ନଜର ରଖିଛି। ଆମେ ଗ୍ରାମବାସୀଙ୍କୁ ସତର୍କ କରାଇ ସେମାନଙ୍କୁ ସୁରକ୍ଷିତ ରଖିବୁ ବୋଲି ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି।
ବାଘକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଏହାକୁ ଏକ ମିଶନ ଭାବେ ଗ୍ରହଣ କରିଥିବା ସେ କହିଛନ୍ତି।
ଅପରପକ୍ଷରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଦେଇ ଯାଇଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ଆଉ ଏକ ରୟାଲ ବେଙ୍ଗଲ ଟାଇଗର ବୁଲୁଥିବା ଦେଖିବାକୁ ମିଳିଛି। ଛତିଶଗଡ଼ ଜଙ୍ଗଲରୁ ଆରବିଟି ବରଗଡ଼ରେ ପ୍ରବେଶ କରିଥିବା କୁହାଯାଉଛି।
Comments are closed.