Latest Odisha News

BREAKING NEWS

ସିଭିଲ୍ ସର୍ଭିସ ଅଧିକାରୀ ନୁପୁର ବୋରା; ଘରେ ରଖିଥିଲେ ୨ କୋଟିର ଟଙ୍କା ଓ ସୁନା…

ନୂଆଦିଲ୍ଲୀ: ଆସାମର ୩୬ ବର୍ଷୀୟ ସିଭିଲ୍ ସର୍ଭିସେସ୍ (ACS) ଅଧିକାରୀ ନୁପୁର ବୋରାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସତର୍କତା ସେଲ୍ ଗୌହାଟି ଏବଂ ବାରପେଟାରେ ଥିବା ତାଙ୍କ ଘରେ ଚଢାଉ କରି ୯୨ ଲକ୍ଷ ଟଙ୍କା ନଗଦ ସହ ପ୍ରାୟ ୨ କୋଟି ଟଙ୍କାର ସୁନା ଅଳଙ୍କାର ଜବତ କରିଛି। ଏଥିସହିତ ବାରପେଟାରେ ତାଙ୍କ ଭଡା ଘରୁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ତେବେ ବାରପେଟାର ରାଜସ୍ୱ ସର୍କଲ କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କ ସହଯୋଗୀ ଲାଟ ମଣ୍ଡଳ ସୁରଜିତ ଡେକାଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା।

ଅପରପକ୍ଷରେ ନୁପୁର ଛଅ ବର୍ଷର ଚାକିରି ମଧ୍ୟରେ ଏତେ ବିପୁଳ ପରିମାଣର ଆୟବହିର୍ଭୂତ ସମ୍ପତ୍ତି କିପରି ସଂଗ୍ରହ କଲେ ତାହା ନେଇ ବର୍ତ୍ତମାନ୍ ପ୍ରଶ୍ନ ଉଠିଛି।

୧୯୮୯ ମସିହାରେ ଆସାମର ଗୋଲାଘାଟ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ନୁପୁର ବୋରା ଗୌହାଟି ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ଡିଗ୍ରୀ ହାସଲ କରିଥିଲେ ଓ ପରେ କପା କଲେଜରେ ପଢ଼ିଥିଲେ। ସିଭିଲ୍ ସର୍ଭିସରେ ନିୟୋଜିତ ହେବା ପୂର୍ବରୁ ସେ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ (DIET)ରେ ଅଧ୍ୟାପକ ଥିଲେ। ୨୦୧୯ ମସିହାରେ ACS ଅର୍ଥାତ୍ ଆସାମ ସିଭିଲ୍ ସର୍ଭିସେସ୍‌ରେ ମନୋନୀତ ହେବା ପରେ ସେ କାର୍ବି ଆଙ୍ଗଲଙ୍ଗରେ ସହାୟକ କମିଶନର ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ତାଙ୍କୁ ୨୦୨୩ ମସିହାରେ ବାରପେଟାରେ ସର୍କଲ୍ ଅଫିସର୍ ଭାବରେ ବଦଳି କରାଯାଇଥିଲା। ପରେ ତାଙ୍କୁ କାମରୂପ ଜିଲ୍ଲାର ଗୋରାଇମାରିରେ ନିଯୁକ୍ତି ଦିଆଯାଇଥିଲା।

ବାରପେଟାରେ ତାଙ୍କ ପୋଷ୍ଟିଂ ସମୟରେ ସରକାରୀ ଏବଂ ମଠ ଜମି ଗୁଡ଼ିକୁ କିଛି ଲୋକଙ୍କୁ ବେଆଇନ୍ ଭାବରେ ହସ୍ତାନ୍ତର କରିବା ଅଭିଯୋଗ ତାଙ୍କ ବିରୋଧରେ ହୋଇଥିବାରୁ ତାଙ୍କ ଗତିବିଧି ଉପରେ ଗତ ଛଅ ମାସ ଧରି ନଜର ରଖାଯାଇଥିଲା। ଏପରିକି ସ୍ଥାନୀୟ ସଂଗଠନ କୃଷକ ମୁକ୍ତି ସଂଗ୍ରାମ ସମିତି (KMSS) ନୁପୁରଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ। ଯାହାଫଳରେ ଏହି ମାମଲା ଅଧିକ ଗମ୍ଭୀର ହୋଇଯାଇଥିଲା। ସେ ଜମି ସମ୍ବନ୍ଧୀୟ କାମ ପାଇଁ ୧୫୦୦ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଉଥିବା ଜଣାପଡ଼ିଛି।

ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଭିଜିଲାନ୍ସ ସେଲର ଏସପି ରୋସି କାଲିତା କହିଛନ୍ତି।

 

Comments are closed.