Latest Odisha News

ଶିଳ୍ପପତି ଡାଲମିଆଙ୍କ ଠିକଣାରେ ଆୟକର ରେଡ୍: ଜବତ ହେଲାଣି ୨୫୦ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ

ଭୁବନେଶ୍ୱର: ଓଡ଼ିଶା, ଛତିଶଗଡ଼, କୋଲକାତା, ମୁମ୍ବାଇ ଓ ଅନ୍ୟାନ୍ୟ ସ୍ଥାନରେ କୋଇଲା ବ୍ୟବସାୟୀ ତଥା ଶିଳ୍ପପତି ଘନଶ୍ୟାମ ଡାଲମିଆଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗ କ୍ରମାଗତ ତୃତୀୟ ଦିନ ପାଇଁ ଚଢ଼ାଉ କରୁଛି।

କୋଇଲା ଖଣି, ଇସ୍ପାତ ଶିଳ୍ପ, ସ୍ପଞ୍ଜ ଆଇରନ୍ କାରଖାନା ଏବଂ ବିଭିନ୍ନ ରାଜ୍ୟରେ ହୋଟେଲ ଆଉଟଲେଟ୍ ରେ ବ୍ୟବସାୟିକ ସ୍ୱାର୍ଥ ରଖିଥିବା ଡାଲମିଆଙ୍କ ଟିକସ ଚୋରି ଓ ମନି ଲଣ୍ଡରିଂ ଘଟଣାର ଏକ ଅଂଶ ଭାବେ ଏହି ଚଢ଼ାଉ କରାଯାଇଛି।

ଓଡ଼ିଶାର ସୁନ୍ଦରଗଡ଼, ରାଉରକେଲା ଓ ବରଗଡ଼ ଜିଲ୍ଲାର ୧୦ଟି ସ୍ଥାନରେ ଏବଂ ଛତିଶଗଡ଼, କୋଲକାତା, ମୁମ୍ବାଇ, ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟର ୩୦ଟି ସ୍ଥାନରେ ପ୍ରାୟ ୧୦୦ ଜଣ ଆୟକର ଅଧିକାରୀ ସର୍ଚ୍ଚ ଅପରେସନରେ ସାମିଲ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆୟକର ଟିମ୍ ସହ ସିଆରପିଏଫ୍ ଯବାନ ମଧ୍ୟ ଅଛନ୍ତି।

ଗୋପାଳପୁର ସ୍ଥିତ ଡାଲମିଆଙ୍କ ଦୁଇ ମହଲା କୋଠା ଓ କାର୍ଯ୍ୟାଳୟ, ତାଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବିଭିନ୍ନ ଠିକଣାରେ ଆୟକର ଅଧିକାରୀମାନେ ଚଢ଼ଉ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ ଆୟକର ଟିମ୍ ଡାଲମିଆଙ୍କ ସମ୍ପତ୍ତିରୁ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ପ୍ରାୟ ୨୫୦ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ କରିଛି। ତେବେ କେତେ ପରିମାଣର ନଗଦ ଟଙ୍କା ଓ ସୁନା ଜବତ ହୋଇଛି ତାହା ଆୟକର ବିଭାଗ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ।

ରାଉରକେଲା ଉଦିତନଗର ଓ ଅନ୍ୟ ଦୁଇଟି ସ୍ଥାନରେ ଥିବା ଡାଲମିଆଙ୍କ ଘନିଷ୍ଠ ସହଯୋଗୀ ନନ୍ଦକିଶୋର ଅଗ୍ରୱାଲଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ମଧ୍ୟ ଆୟକର ଅଧିକାରୀମାନେ ଚଢ଼ାଉ କରୁଛନ୍ତି। ଛତିଶଗଡ଼ରେ ଆୟକର ଟିମ୍ ଏକ ଲୁହା, ଇସ୍ପାତ ଏବଂ ପାୱାର ପ୍ଲାଣ୍ଟ କାରଖାନା, ରାଇଘରସ୍ଥିତ ବାସଭବନ, କାର୍ଯ୍ୟାଳୟ ଏବଂ ବିଳାସପୁରରେ ଥିବା ଏକ କାର୍ଯ୍ୟାଳୟଉପରେ ଚଢ଼ାଉ କରୁଛି। କୋଲକାତାସ୍ଥିତ ଡାଲମିଆଙ୍କ କାର୍ଯ୍ୟାଳୟରେ ମଧ୍ୟ ଆୟକର ଅଧିକାରୀମାନେ ଚଢ଼ାଉ ଜାରି ରଖିଛନ୍ତି।

ଡାଲମିଆ ଏପର୍ଯ୍ୟନ୍ତ ଚାଲିଥିବା ଚଢ଼ାଉ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଖୁବଶୀଘ୍ର ଆୟକର ବିଭାଗ ଏହି ଚଢ଼ାଉ ଓ ରିପୋର୍ଟ ଉପରେ ବିବୃତି ଜାରି କରିବ ବୋଲି ଆଶା କରାଯାଉଛି।

Comments are closed.