ଭୁବନେଶ୍ବର: ନିବେଶକଙ୍କୁ ନିମନ୍ତ୍ରଣ ଦେବା ପାଇଁ ସିଙ୍ଗାପୁର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଶିଳ୍ପ ମନ୍ତ୍ରୀ ସଂମ୍ପଦ ସ୍ବାଇଁ । ତେବେ ଗତକାଲି ଏହି ଗସ୍ତ ଶେଷ ହୋଇଥିବା ବେଳେ ଗସ୍ତ ସଫଳ ଏବଂ ଏକାଧିକ ଶିଳ୍ପ ସଂସ୍ଥା ସହ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ।
ଏନେଇ ମନ୍ତ୍ରୀ କହିଛନ୍ତି, ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଅଧିକ ଶିଳ୍ପ ସଂସ୍ଥା ଆସି ଭାଗ ନେବେ । ଆସନ୍ତା ୫ ବର୍ଷରେ ଓଡ଼ିଶାରେ ୫ ଲକ୍ଷ କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି । ଆମ ସରକାର ଶିଳ୍ପ ସଂସ୍ଥା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ।
ସେହିପରି ଗତକାଲି ସିଙ୍ଗାପୁର ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ କହିଥିଲେ, ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ରୋଡଶୋ, ପ୍ରମୁଖ ଶିଳ୍ପ ଏବଂ ଭିତ୍ତିଭୂମି ହବ ପରିଦର୍ଶନ ଏବଂ ସିଙ୍ଗାପୁରର ଓଡିଆ ପ୍ରବାସୀଙ୍କ ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ଭବିଷ୍ୟତରେ ସହଯୋଗ ପାଇଁ ଆଲୋଚନା ହୋଇଛି । ଇକୋସଫ୍ଟର ସିଇଓ ତଥା ସହ-ପ୍ରତିଷ୍ଠାତା ମାର୍କସ ଲିମଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଆଜି ପ୍ରଥମ ବୈଠକରେ ଅନୁଷ୍ଠିତ ହୋଇଛି । ଅଭିନବ ଉପାୟରେ ସ୍ଥାୟୀ ଜଳ ସମସ୍ୟା ସମାଧାନ ବାବଦରେ ମଧ୍ୟ ଆଲୋଚନା ହୋଇଛି । ସେହିପରି ଓଡିଶାର ଶିଳ୍ପ ଏବଂ ସହରାଞ୍ଚଳ ଇକୋସିଷ୍ଟମରେ ସାମ୍ଭାବ୍ୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି ।
ଏଥିସହିତ ଜାହାଜ ପୁନଃ ବ୍ୟବହାର, କଣ୍ଟେନର ଉତ୍ପାଦନ ଏବଂ ବନ୍ଦର ଭିତ୍ତିକ ଶିଳ୍ପ ଭିତ୍ତିଭୂମି ବିକାଶ ବାବଦରେ ଆଲୋଚନା ହୋଇଛି । ଓଡିଶାର ପ୍ରତିନିଧୀ ଦଳ ସୁଣ୍ଟେକ ସିଟି କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଓଡିଶାର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଭିତ୍ତିଭୂମିର ବିକଶିତ କରିବା ପାଇଁ ପିଇପିର ଅଭିଜ୍ଞତାକୁ ଉପଯୋଗ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ।