Latest Odisha News

BREAKING NEWS

କିସ୍ ରେ ରଗବୀ ବିଶ୍ୱକପ ଟ୍ରଫି

ଭୁବନେଶ୍ୱର : ଶୁକ୍ରବାର ରଗବୀ ବିଶ୍ୱକପ ଟ୍ରଫି- ୱେବ ଏଲିସ କପ ଭୁବନେଶ୍ୱରରେ ପହଞ୍ଚିବା ପରେ କିଟ ଓ କିସ ବୁଲିଥିଲା । ଏହି ଅବସରରେ କିସ ପରିସରରେ ୨୭ହଜାର ଛାତ୍ରଛାତ୍ରୀ ଟ୍ରଫିକୁ ସ୍ୱାଗତ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରଗବୀ ଏସିଆର ସଭାପତି ଆଗା ହୁସେନ, ରଗବୀ ଇଣ୍ଡିଆର ସିଇଓ ନାସିର ହୁସେନ, କିଟ ଓ କିସର ସଂପାଦକ ଆର ଏନ ଦାଶ, କିସର ସିଇଓ ଡ. ପ୍ରଶାନ୍ତ ରାଉତରାୟ, କିଟ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଏବଂ ଓଡ଼ିଶା ରଗବୀ ଆସୋସିଏସନର ସଂପାଦକ ଉପେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ପ୍ରଥମ ଥର ଲାଗି ରଗବୀ ବିଶ୍ୱକପ ଏସିଆ ମହାଦେଶ ଜାପାନରେ ଅନୁଷ୍ଠିତ ହେଉଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ୧୮ଟି ଦେଶରେ ରଗବୀ ବିଶ୍ୱକପ ଟ୍ରଫି ଭ୍ରମଣ କରୁଛି । ଏହି କ୍ରମରେ ଭାରତର ଦିଲ୍ଲୀ, ମୁମ୍ବାଇ ଓ ଭୁବନେଶ୍ୱରରେ ୱେବ ଏଲିସ କପ ଭ୍ରମଣ କରିଥିଲା । ଓଡ଼ିଶାରେ ରଗବୀର ପ୍ରଚାର ଓ ପ୍ରସାରରେ କିସର ଅଗ୍ରଣୀ ଭୂମିକା ରହିଛି । ଏଠାରେ ସୂଚନାଯୋଗ୍ୟ, କିସର ବହୁ ରଗବୀ ଖେଳାଳି ଉଭୟ ବରିଷ୍ଠ ଓ କନିଷ୍ଠ ବାଳକ ଓ ବାଳିକା ବର୍ଗରେ ଭାରତକୁ ପ୍ରତିନିଧିତ୍ୱ କରିଆସୁଛନ୍ତି ।

ସ୍କୁଲ ରଗବୀରେ ମଧ୍ୟ କିସ ଛାତ୍ରଛାତ୍ରୀମାନେ ବହୁବାର ବିଶ୍ୱବିଜୟୀ ହୋଇପାରିଛନ୍ତି । ଓଡ଼ିଶାରେ ରଗବୀର ପ୍ରଚାର ଓ ପ୍ରସାର ଲାଗି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବଦା ଉଦ୍ୟମ କରିଆସୁଛନ୍ତି । କିସରେ ୱେବ ଏଲିସ କପ ବୁଲିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ସେ କହିବା ସହ ଏହା ଦ୍ୱାରା କିସ ଛାତ୍ରଛାତ୍ରୀମାନେ ରଗବୀ ଖେଳ ପାଇଁ ଅଧିକ ଉତ୍ସାହିତ ହେବେ ବୋଲି ସେ ପ୍ରକାଶ କରିଛନ୍ତି ।

ଶେଷରେ ଗେଟ ଇନ ଟୁ ରଗବୀ ତାଲିମ ଅଧିବେଶନରେ କିସର ମୁନ୍ନା ମୁର୍ମୁ, ରାଜକିଶୋର ମୁର୍ମୁଙ୍କ ଭଳି କୋଚ ଏବଂ ମହିଳା ରଗବୀ ଖେଳାଳି ସୁମିତ୍ରା ନାୟକ, ହୁପି ମାଝୀ ଓ ଲିଜା ସର୍ଦ୍ଦାର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।

Leave A Reply

Your email address will not be published.