ବିନୋଦିନୀ ଦାଶ
ଜୀବନଟା ଏକ ପ୍ରଦୀପ ସଦୃଶ
ଯେଉଁ ମାନବ ବୁଝଇ,
ଜୀବଦ୍ଦଶାରେ ସେ ନିଜେ ଜଳି ଜଳି
ଉଜ୍ବଳ କରେ ଏ ମହୀ ।
ଯେତେ ବାଧାବିଘ୍ନ ଆସିଲେ ବି ପଥେ
ସବୁକୁ ଆଡ଼େଇ ଦେଇ,
ଅବିଶ୍ରାନ୍ତ ଭାବେ କର୍ମ ସାଧନରେ
ନିତ୍ୟ ସେତ ଲାଗିଥାଇ ।
ତା’ର ସେ ଆଲୋକେ କୋଟି ଜନ- ମନ
ପ୍ରାଣ ଉଜ୍ବଳି ଉଠଇ,
ନବ ଚେତନାର ଆବାହନୀ ମନ୍ତ୍ର
ପୁଲକିତେ ଥା’ନ୍ତି ଗାଇ ।
କ୍ଷୀଣ ହେଲେ ବି ସେ ଆଲୋକ ଶିଖାଟି
କାଳ-ସ୍ରୋତେ ବ୍ୟାପି ଯାଇ,
ଯୁଗଯୁଗ ପାଇଁ ଯଶ କୀର୍ତ୍ତି ବାନା
ସ୍ବର୍ଣ୍ଣିମ ସ୍ବାକ୍ଷରେ ଥାଇ ।
ଜୀବନ ମହତ୍ତ୍ୱ ବୁଝୁଥା’ନ୍ତେ ଯଦି
ମର୍ତ୍ତ୍ୟେ ସକଳ ମାନବ,
ଦୀପଟିଏ ପରି କ୍ଷୀଣ ଆଲୋକରେ
ଉଜ୍ଜ୍ବଳି ଉଠନ୍ତା ଭବ ।
ସ୍ନେହ, ପ୍ରୀତି ତୋଳି ଯାଉଥା’ନ୍ତେ ଚଳି
ହୃଦୟେ ହୃଦୟ ଛନ୍ଦି,
ହଟନ୍ତା କଷଣ ଦୁଃଖ ଅବସାନ
ପ୍ରଦୀପ ଆଭାରେ ବନ୍ଦୀ ।
ସେଥିପାଇଁ ଚାଲ ଜୀବନ-ପ୍ରଦୀପ
ଆନର ପାଇଁ ଉତ୍ସର୍ଗୀ,
ନିଜ ଜୀବନକୁ ଧନ୍ୟ କରାଇଣ
ସରବେ ହୋଇବା ତ୍ୟାଗୀ ।
କୁରୁଆଁ, ମୁଗପାଳ, ଯାଜପୁର
Comments are closed.