Latest Odisha News

BREAKING NEWS

କବିତା : ସେଇ ଗାଁକୁ ନେଇ ଯା

ରଜୀତ ଦାସ

ଦୂରୁ ଦିଶୁଅଛି ଅଳପ ଅଳପ
ନଈ ଆର ପାରି ଗାଁ
ମାନଚିତ୍ର ମଧ୍ୟେ ଖୋଜିଲେ କାହିଁକି
ମିଳେ ନାହିଁ ତାର ନାଁ।

ସକଳୁଆ ଶୀତ ହଳିଆର ଗୀତ
ଆହା କି ସୁନ୍ଦର ମିତ
ନଈ ଆରପାରି ପଠାରେ ଖେଳୁଛି
ସୁନେଲି ସୋରିଷ କ୍ଷେତ।

ଦୁବ ଘାସେ ପଡି ଶିଶିର ବୁନ୍ଦାଏ
ଶୁଭ୍ର ତାରକସି ଦିଶେ
ଧୀର ସମୀରଣେ ଅଳସୀ କିଆରୀ
ଅଳପ ଅଳପ ହସେ।

ଧାନ କିଆରୀ ରେ କିଏସେ ଆଙ୍କିଛି
ବିଚିତ୍ର କୁହୁଡି ଘର
ପକ୍ଷୀ କୁଜନରେ ପୁରି ଉଠୁଅଛି
ମୋ ଗାଁର ନଈ ଧାର।

ହଳ ଓ ଲଙ୍ଗଳ ଜୋଚିଛି କପିଳା
କଳିଆ କସରା ନେଇ
ଭାତ ପାଣି ଧରି ଚାହିଁଛି ଘରଣୀ
ହିଡ ମୁଣ୍ଡେ ଠିଆ ହୋଇ।

ସଞ୍ଜ ନଇଁ ଗଲେ ଗାଁ ଚାନ୍ଦିନୀରୁ
ଭାସି ଆସେ ହରିନାମ
ଯିବି ନାହିଁ କେବେ ମୋ ଗାଁକୁ ଛାଡି
ଏଇ ମୋର ଚାରି ଧାମ।

ସିଙ୍ଗିଟାଳି
କୁଜଙ୍ଗ
ଜଗତସିଂହପୁର

Leave A Reply

Your email address will not be published.