ରତ୍ନାକର ରାଉତ
ସକାଳେ ଖବର କାଗଜ ଖୋଲିଲାବେଳକୁ
ଜଣାପଡ଼ିଲା ଡକ୍ଟର ଦାସ ଆଉ ନାହାଁନ୍ତି ।
ଗତ କିଛିଦିନ ଧରି ପୀଡ଼ିତ ଥିଲେ,
ହୃଦଘାତରୁ କାଲି ତାଙ୍କର ନିଧନ ହେଲା ।
ନନ୍ଦଦାସର ମନେ ପଡ଼ିଲା ଦୁଇବର୍ଷ ତଳର
ଏକ ଅଙ୍ଗେନିଭା ଦୁଃଖଦ ଘଟଣା ।
ଅସୁସ୍ଥ ମାଆଙ୍କୁ ନେଇ ଯାଇଥିଲା ତାଙ୍କ ଘରକୁ,
ସଭିଏଁ କହିଲେ ସେ ଧନ୍ୱନ୍ତରୀ । ତାଙ୍କ
ହାତ ନ ବାଜିଲେ ବୁଢୀର ଏ ଯେଉଁ ଜଟିଳ ବ୍ୟାଧି
ଉପଶମ ହେବନି ।
ଆଉ କି’ ଉପାୟ ଥିଲା ତା’ ପାଖରେ?
ସକାଳୁ ଯାଇଥିଲେ ଯେ ମାଆପୁଅ
ରାତି ଦି ଘଡ଼ିଯାଏଁ ଆଉ କେତେ କେତେ
ବେମାରିଆ ଲୋକଙ୍କ ମେଳରେ ବସିଲେ
ଗେଟ୍ ବାହାରେ ରାସ୍ତାରେ ସେମିତି ଅଖିଆ ଅପିଆ ।
ଦରୱାନ୍ ଗେଟ୍ ଖୋଲିଲା ବେଳକୁ
ସଂଧ୍ୟାତାରା ମୁଣ୍ଡଉପରେ ।
ଲାଗିଲା ଠେଲାପେଲା, ବଂଚିବା ପାଇଁଯୁଦ୍ଧ,
କାହାର ଆଗ ନମ୍ବର ହେବ ।
ତିରିଶ ନମ୍ବର ପର୍ଯ୍ୟନ୍ତ ରହିବେ ଆଉ ସବୁ ଯିବେ,
ପୁଣି କାଲି ଆସିବେ ।
ଠେଲାପେଲାରେ ପଶିପାରିଲା ନାହିଁ ସେ ।
ନମ୍ବର ସରିଗଲା । କାହାକୁ କିଛିନକହି
ବସିରହିଲେ ରାତି ଅଧଯାଏଁ । କାଳେ
ଡାକ୍ତର ବାବୁଙ୍କର ଦୟାହେବ ।
ମାଆର ଦେହ ବେଳକୁ ବେଳ ବିଗିଡ଼ି ଚାଲିଲା ।
ରାତି ଦିଇଟାରେ ଦରୁୱାନ୍ ଯେତେବେଳେ
ଗେଟ୍ ବାହାରକୁ ବାହାରକଲା ମାଆପୁଅଙ୍କୁ,
ସେ ନିରାଶ ହେଲା ଏବଂ ଅନ୍ୟଉପାୟ ନପାଇ
ସରକାରୀ ହାସପାତାଳରେ ଭର୍ତ୍ତି କଲା ମାଆକୁ ।
ରାତି ପାହୁ ପାହୁ ବୁଢୀ ନିଃଶ୍ୱାସ ଛାଡ଼ିଲା ।
ତାର ଅବସୋସ ରହିଲା, ଏତେ ଚେଷ୍ଟାକରି ମଧ୍ୟ
ମାଆକୁ ଦେଖେଇ ପାରିଲା ନାହିଁ ଡକ୍ଟର ଦାସଙ୍କୁ ।
ମାଆ ଶେଷରେ ଆଖିବୁଜିଦେଲା,
ରୋଗ ଚିହ୍ନାପଡ଼ିଲା ନାହିଁ ।
ଜମିବାଡ଼ି ଦିଖଣ୍ଡ ବିକି, କେଉଁଠୁ ଧାର କରଜ କରି
ଓøଷଧପତ୍ର ଦେଇଥିଲେ ତାର ମନବୁଝିଥାଆନ୍ତା ।
ମାଆପାଇଁ କିଛି କରିପାରିଲା ନାହିଁ ଅଯୋଗ୍ୟ ପୁଅ ।
ତା\’ଆଖିରୁ ଧାର ଧାର ଲୁହ ଛୁଟିଲା ।
ରାଜନଅରପରି ଘର କରିଥିଲେ ଡକ୍ଟର ଦାସ ।
ଗେଟ୍ ଆଗରେ ଚବିଶ ଘଂଟା ପହରା ଦେଉଥିଲା
ଦରୁୱାନ୍ । ଉଆସ ଭିତରକୁ ପଶିଗଲାବେଳକୁ
ଛାତି ଥରୁଥିଲା । ହେଲେ ଯମ କ\’ଣ ଡରିଲା?
ସେ ମୁଛବାଲା ଦରୁୱାନ ତ\’ କାହିଁ
ଅଟକେଇ ପାରିଲା ନାହିଁ ଯମକୁ?
ଏତେ ସଂପଦ କେଉଁଠି ବାଂଧି ରଖିପାରିଲା ଜୀବନ?
ଦେଖୁ ଦେଖୁ ଦିନ କେଇଟାରେ କେମିତି
ଖସି ଚାଲିଗଲା କେଉଁବାଟରେ?
ଯମର ଦରବାରରେ କାହାକୁ ଛାଡ଼ ମିଳିଲା,
ତା ମାଆକୁ ନା ଡକ୍ଟର ଦାସଙ୍କୁ, କାହାକୁ?
ଅବା ମିଳିବଛାଡ଼ ଅନ୍ୟ କାହାକୁ
ଯେତେ ଯିଏ ଯେଉଁଠି ଅଛନ୍ତି
ଅନ୍ଦି, କନ୍ଦି, ସନ୍ଧିରେ ଅବା ଅନ୍ତପୁରକି
ରାଜ ଉଆସରେ?
ଏ ମାଟି ସେମିତି ପଡ଼ିଥିବ ।
ପାଦ ଚିହ୍ନ ସବୁ ପଡୁଥିବ ଏ ମାଟିରେ
ପୁଣି କୁଆଡ଼େ ହଜି ଯାଉଥିବ,
ଦିନ ହଜିଗଲାପରି ରାତିର କୋଳରେ
ଏବଂ ତାରାମାନେ ହଜିଗଲା ପରି
ଦିନର ଆକାଶରେ ।
ପ୍ଲଟ ନମ୍ବର – ୭୬୭(ପି)
ଜୟଦୁର୍ଗାନଗର, ଲକ୍ଷ୍ମୀସାଗର
ଭୁବନେଶ୍ୱର-୭୫୧୦୦୬
Comments are closed.