ଅଣାକାର ନାୟକ
ଝରକା ସେପାଖ ପୃଥିବୀ
ଯୋଉଠି ନିତି ଘରଚଟିଆ ବସା ବାନ୍ଧେ
ଯୋଉଠି ଫାଲଗୁନରେ ମେଳଣ ହୁଏ
ଯୋଉଠି କାଳ ବୈଶାଖୀ
ନିଦାଘର ସାନିଧ୍ୟରେ
ଅତୃପ୍ତ ବସୁନ୍ଧରାକୁ ତୃପ୍ତି ଦିଏ।
ଯୋଉଠି ସେ ତା ଅତୀତକୁ ଖୋଜେ
କାହିଁକିନା ଝରକା ଏପଟେ
ସେ ବନ୍ଦୀ
ତା କର୍ତ୍ତବ୍ୟର ଶିକୁଳିରେ।
ହାରିଯାଇଥିବା ସୈନ୍ୟ ସେ
କ୍ଷତାକ୍ତ ସବ୍ୟସାଚୀ
ତା ଗାଣ୍ଡିବକୁ ପରଖୁ ଥାଏ
କର୍ତ୍ତବ୍ୟର ପାଞ୍ଚାଳିର କବରୀ
ଏବେ ସୁଦ୍ଧା ଉନ୍ମୁକ୍ତ
ସେ ଚାହେଁ ପ୍ରତିଶୋଧ ତା ଅତୀତ ଉପରୁ
ଭାଗ୍ୟରୂପୀ କୌରବର ଲହୁ
ସେଇ ରୁଧିରରେ ଅତୀତର ହିସାବ
ଖୋଜିବାକୁ ଯାହା ପ୍ରତୀକ୍ଷା ତାର।
ଝରକା ସେପାଖ ପୃଥିବୀରେ ପ୍ରେମ ଥାଏ
ଝରକା ଏପାଖ ପୃଥିବୀରେ ସଂଘର୍ଷ ଖାଲି
କିଛି ସମୟ ପାଇଁ ହଉ ପଛେ
ଅବଶୋଷ ଆସେ
ସେ ବି ଫେରି ପାରନ୍ତା
ସେଇ ଚିହ୍ନା ପୃଥିବୀକୁ
ଏଇ ରଣାଙ୍ଗନ ଛାଡି
ପୌରୁଷର ଆହ୍ୱାନ ଛାଡି
ଶୃଙ୍ଗାରର ରାଗିଣୀ ଗାଇବାକୁ।
ହେଲେ ନା ଯୁଦ୍ଧ ବି ତ ସରିନି
ଆହୁରି ବହୁତ ଅକ୍ଷଉଣୀ ସେନାର ବଧ ବାକି
ଆହୁରି ବହୁତ ବାଟ
ବହୁତ୍ ବହୁତ୍ ।
Comments are closed.