Latest Odisha News

BREAKING NEWS

କବିତା : ଅଚିହ୍ନା ଲାଗୁଛି

ବିନୋଦିନୀ ଦାଶ

BjdElectrycity

ଦୁନିଆର ଗତି ବଦଳି ଯାଇଛି
ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି
ଚିହ୍ନନ୍ତି କେବଳ ନିଜର ସ୍ବାର୍ଥକୁ
ଚଢ଼ି ତା’ ଉପରେ ଉର୍ଦ୍ଧ୍ବେ ଉଠିବାକୁ ।

ଏପରି ମାନବ ସମ୍ପର୍କର ମଧୁ
ଚାଖିବ କେମିତି ତା’ ଅନ୍ତର ମଧ୍ୟୁ
ସେ ପରା ମୁଁ ମୋ ଭିତରେ ଆବଦ୍ଧ
ହୃଦୟ କୋଠରି କପଟରେ ରୁଦ୍ଧ ।

ପିମ୍ପୁଡି଼ ପରିକା ଚଢ଼ି ରୁଖା ପରେ
ବଡ଼ ବୋଲି ନିଜେ ଦେଖାଏ ଅପରେ
ଚିତ୍ତ ଚଞ୍ଚଳତା ନ କରେ ବାରଣ
ଅକୃତଜ୍ଞତାର ସାଜଇ କାରଣ ।

ପ୍ରକୃତ ମିତ୍ରକୁ ଚିହ୍ନି ବି ଅଚିହ୍ନା
ମଣିଷେ ଗଣା କି ମନୁଷ୍ୟତ୍ବ ବିନା
ସନ୍ଦେହୀ ମନର ଯେତେ ଆବିଳତା
ବାନ୍ଧି କି ପାରିବ ଜୀବନରେ ବତା ?

ଗର୍ବ ଅହଂକାର ଧନ କି ପଦବୀ
ଅସ୍ଥାୟୀ ବୋଲି ନ ଥାଏ ଅନୁଭବି
ମତ୍ତହସ୍ତୀ ସମ ନ ଚିହ୍ନି କାହାକୁ
ନିଜେ ଅବରୋଧ ନିଜର ପଥକୁ ।

କୁରୁଆଁ, ମୁଗପାଳ, ଯାଜପୁର

Leave A Reply

Your email address will not be published.