ମୁମ୍ବାଇ: ଭାରତୀୟ କ୍ରିକେଟ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମ୍ପର୍କୀତ ସମସ୍ତ ଖବର ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ନୂଆ ସଭାପତି ଖୋଜୁଛି । ଇତି ମଧ୍ୟରେ ସଚିନଙ୍କୁ ବିସିସିଆଇ ସଭାପତି କରିବାକୁ ଚାହୁଁଛି ବୋଲି ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା । ବହୁତ କମ ସମୟରେ ଏହି ଖବର ଭାଇରାଲ ହୋଇ ଯାଇଥିଲା । ଏହାର ସତ୍ୟତା ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଥିଲା । ସଚିନଙ୍କ ବୟାନକୁ ସମସ୍ତେ ଅପେକ୍ଷା କରିଥିଲେ । ଶେଷରେ ମାଷ୍ଟର ବ୍ଲାଷ୍ଟର ସଭାପତି ହେବେ କି ନାହିଁ ତାହା ସ୍ପଷ୍ଟ କରିଛନ୍ତି ।
ସଚିନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବୟାନ ଜାରୀ କରି କୁହାଯାଇଛି କି ସେ ଆଗାମୀ ବିସିସିଆଇ ସଭାପତି ଦୌଡରେ ନାହାନ୍ତି । ପ୍ରସାରିତ ହେଉଥିବା ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ । ଏଥିରେ କୌଣସି ସତ୍ୟତା ନାହିଁ । ସଭାପତି ପଦ ପାଇଁ ସଚିନଙ୍କ ପକ୍ଷରୁ ନାମାଙ୍କନ ଦାଖଲ କରାଯାଇ ନାହିଁ । ସେପ୍ଟମ୍ବର ୨୮ରେ ବିସିସିଆଇର ବାର୍ଷିତ ବୈଠକ ଆୟୋଜିତ ହେବ । ଏହି ସମୟରେ ସଭାପତି ପଦ ପାଇଁ ମଧ୍ୟ ନିର୍ବାଚନ ହେବ । ୨୦୨୨ରେ ରୋଜର ବିନ୍ନୀଙ୍କୁ ବିସିସିଆଇ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ନିକଟରେ ସେ ଇସ୍ତଫା ଦେଇଥିବାରୁ ଏବେ ଏହି ପଦ ଖାଲି ରହିଛି ।
Comments are closed.