Latest Odisha News

BREAKING NEWS

୧୫୧ ଟେଷ୍ଟ ପରେ ସଚିନଙ୍କ ସହ ରୁଟଙ୍କ ତୁଳନା

ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ସଚିନଙ୍କ ସହ ରୁଟଙ୍କୁ ଏବେ ତୁଳନା କରାଯାଉଛି । ତେବେ ଏହା ପୂର୍ବରୁ ୧୫୧ ଟେଷ୍ଟ ପର୍ଯ୍ୟନ୍ତ ଉଭୟ ଖେଳାଳିଙ୍କ ରେକର୍ଡ ଉପରେ ନଜର ପକାଇବାକୁ ପଡିବ । ୩୩ ବର୍ଷୀୟ ରୁଟ ୧୫୧ ମ୍ୟାଚରେ ୧୨୮୮୬ ରନ ସଂଗ୍ରହ କରି ନେଇଛନ୍ତି । ସର୍ବାଧିକ ରନ ସଂଗ୍ରହକାରୀଙ୍କ ତାଲିକାରେ ସେ ୫ମ ସ୍ଥାନରେ ରହିଛନ୍ତି । ସେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ରିକି ପଂଟିଂଙ୍କଠାରୁ ୪୯୨ ରନ ପଛରେ ରହିଛନ୍ତି । ୨୦୨୧ ପରଠାରୁ ରୁଟ ଜବରଦସ୍ତ ଫର୍ମରେ ଅଛନ୍ତି । ସେ ୫୪ ଟେଷ୍ଟରେ ୫୬.୨୫ ଆଭରେଜରେ ୧୯ଶତକ ସହ ୫୦୬୩ ରନ କରିଛନ୍ତି । ସଚିନ ଟେଷ୍ଟ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୫୧ ଶତକ, ୬୮ ଅର୍ଦ୍ଧଶତକ ସହ ୧୫୯୨୧ ରନ କରିଛନ୍ତି ।

୧୫୧ ଟେଷ୍ଟ ପରେ ଉଭୟଙ୍କ ତୁଳନା: ଜୋ ରୁଟ ୧୫୧ ତମ ଟେଷ୍ଟ ବେଳକୁ ସଚିନଙ୍କଠାରୁ ୩୦ ଅଧିକ ଇନିଂସ ଖେଳିଛନ୍ତି । ରୁଟ ଏହି ସମୟ ମଧ୍ୟରେ ୧୨୮୮୬ ରନ କରିଥିବା ବେଳେ ସଚିନ ୧୧୯୩୯ ରନ କରିଥିଲେ । ତେନ୍ଦୁଲକରଙ୍କ ଆଭରେଜ ୫୪.୦୨ ଥିବା ବେଳେ ରୁଟଙ୍କ ୫୦.୯୩ ରହିଛି । ସେହିପରି ସଚିନ ୩୯ ଶତକ ମାରିଥିବା ବେଳେ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ ୩୬ଟି ମାରିଛନ୍ତି । ରୁଟ ୬୪ ଏବଂ ସଚିନ ୪୯ ଅର୍ଦ୍ଧଶତକ ମାରିଥିଲେ ।
ବିଦେଶୀ ମାଟିରେ ପ୍ରଦର୍ଶନ: ୧୫୧ ଟେଷ୍ଟ ପରେ ସଚିନ ବିଦେଶ ମାଟିରେ ୮୭ ଟେଷ୍ଟ ଖେଳିଥିଲେ । ସେ ୫୩.୭୦ ଆଭରେଜରେ ୨୩ ଶତକ ଓ ୨୮ ଅର୍ଦ୍ଧଶତକ ସହ ୬୮୨୧ ରନ କରିଛନ୍ତି । ରୁଟ ୭୩ ଟେଷ୍ଟରେ ୪୬.୬୬ ଆଭରେଜରେ ୧୫ ଶତକ ଓ ୩୨ ଅର୍ଦ୍ଧଶତକ ମାରିଛନ୍ତି । ସେ ୬୧୨୮ ରନ କରିଛନ୍ତି ।

ଘରୋଇ ପରିବେଶରେ ପ୍ରଦର୍ଶନ: ଘରୋଇ ପରିବେଶରେ ସଚିନ ୬୪ ମ୍ୟାଚରେ ୫୪.୪୪ ଆଭରେଜରେ ୧୬ ଶତକ ଓ ୨୧ ଅର୍ଦ୍ଧଶତକ ମାରିଛନ୍ତି । ସେ ୫୧୧୮ ରନ ସଂଗ୍ରହ କରିଛନ୍ତି । ଅପରପକ୍ଷରେ ରୁଟ ୭୮ ଟେଷ୍ଟରେ ୫୪.୯୪ ଆଭରେଜରେ ୨୧ ଶତକ ଓ ୩୨ ଅର୍ଦ୍ଧଶତକ ମାରିଛନ୍ତି । ସେ ୬୭୫୮ ରନ କରିଛନ୍ତି ।

ଓଭରାଲ ପ୍ରଦର୍ଶନ: ସଚିନ ତେନ୍ଦୁଲକର ୧୫୧ ଟେଷ୍ଟ ଖେଳିବା ବେଳକୁ ଗୋଟିଏ ଶତକ ମାରିବାକୁ ଆଭରେଜ ୬ଟି ମ୍ୟାଚ ନେଇଥାନ୍ତି । ୨୪୬ ମ୍ୟାଚରେ ସେ ୩୯ ଶତକ ମାରିଥିଲେ । ଅପରପକ୍ଷରେ ରୁଟ ଏଥିପାଇଁ ୮ଟି ମ୍ୟାଚ ନେଇଥାନ୍ତି । ୨୭୬ ଇନିଂସରେ ସେ ୩୬ ଶତକ ମାରିଛନ୍ତି । ଏଥିରୁ ପ୍ରମାଣିତ ହେଉଛି ରୁଟଙ୍କ ତୁଳନାରେ ସଚିନ ତାଙ୍କ ଇନିଂସକୁ ଶତକରେ ପରିଣତ କରିବାରେ ଆଗରେ ରହିଛନ୍ତି । ସଚିନଙ୍କ ରେକର୍ଡର ନିକଟତର ହୋଇ ରୁଟ ଅବଶ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ବି ସେ ସଚିନଙ୍କ ରେକର୍ଡ ଭାଙ୍ଗି ନାହାନ୍ତି । ଆଗାମୀ ଦିନରେ ସ୍ପଷ୍ଟ ହେବ ଟେଷ୍ଟ କ୍ରିକେଟର ପ୍ରକୃତ ମହାରଥୀ କିଏ ।

Comments are closed.