Latest Odisha News

BREAKING NEWS

କବିତା ମୋତେ ସର୍ଜନଶୀଳତାର ଶୁଦ୍ଧ ଆତ୍ମିକ ଆନନ୍ଦ ଦେଇଛି: ମମତା ଦାଶ

ମମତା ଦାଶ ଓଡ଼ିଆ କବିତା ଓ କଥାସାହିତ୍ୟର ଜଣେ ସମ୍ବେଦନଶୀଳ ଶିଳ୍ପୀ । ‘ନୈମିଷାରଣ୍ୟ’, ‘ଏକତ୍ର ଚଂଦ୍ର ସୂର୍ଯ୍ୟ’, ‘ଅବାକ୍‍ ସ୍ୱର୍ଗ’, ‘ଉଜ୍ଜ୍ୱଳ ଉପବନ’, ‘ନୀଳ ନିର୍ବାପନ’, ‘ହିରଣ୍ୟବର୍ଣ୍ଣ’, ‘ଶୁଭ୍ରଧାରା’, ‘ମାୟାନ୍ଧକାର’, ‘ରାଗ ଲଳିତା’ ଆଦି କବିତା ସଂକଳନର ସ୍ରଷ୍ଟା ଭାବେ ସେ ସୁପରିଚିତା। ଗଳ୍ପ ସଂକଳନ ‘ଅନ୍ୟ ଜଗତର ସକାଳ’, ‘ଅନ୍ତରାଳ ଦୃଶ୍ୟ’, ‘ଅରୁନ୍ଧତୀର ସଂଧ୍ୟା’, ‘ପଦ୍ମପୁରୁଷ’ ଏବଂ ଉପନ୍ୟାସ ‘କେହିଜଣେ ବିଶାଖା’ ରଚନା କରି ସେ ନିଜ କାରୁକାର୍ଯ୍ୟମୟ କଥକତାର ମଧ୍ୟ ପ୍ରମାଣ ଦେଇଛନ୍ତି । ଏହା ବ୍ୟତୀତ ସମାଲୋଚନା, ଅନୁବାଦ ଆଦିରେ ମଧ୍ୟ ତାଙ୍କର ସୃଜନଶୀଳତା ବିନିଯୋଗ କରିଛନ୍ତି ସେ । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଭାରତୀୟ ଭାଷା ପରିଷଦ ସମ୍ମାନ, ଭାନୁଜୀ ରାଓ କବିତା ସମ୍ମାନ, ବିଷୁବ କବିତା ସମ୍ମାନ, ସଚ୍ଚି ରାଉତରାୟ ପୁସ୍ତକମେଳା ସମ୍ମାନ, କାଳିନ୍ଦୀ ସ୍ମୃତି ସମ୍ମାନ, ଚେତାବନୀ ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ, ବର୍ଣ୍ଣମାଳା ସମ୍ମାନ, ଜୀବନରଂଗ ସମ୍ମାନ, ଧରିତ୍ରୀ ସମ୍ମାନ, ନୀଳକଇଁ ସମ୍ମାନ ଆଦି ଅନେକ ସ୍ୱୀକୃତି ସହିତ ଭାରତ ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ପ୍ରଦତ୍ତ ସିନିଅର୍‍ ଫେଲୋସିପ୍‍ ସେ ପାଇଛନ୍ତି । ଉଭୟ ଭୁବନେଶ୍ୱର ଓ ପଣ୍ଡିଚେରୀରେ ସେ ଅଦଳବଦଳ କରି ରହନ୍ତି । ତାଙ୍କ ସହିତ ସରୋଜ ବଳଙ୍କ ଅନ୍ତରଙ୍ଗ ଆଳାପ:

କବିତା ମୋତେ ସର୍ଜନଶୀଳତାର
ଶୁଦ୍ଧ ଆତ୍ମିକ ଆନନ୍ଦ ଦେଇଛି: ମମତା ଦାଶ

କବିତା, ଗଳ୍ପ, ଉପନ୍ୟାସ – ସବୁଥିରେ ଆପଣ ଅଛନ୍ତି । ତେବେ କେଉଁଟା ଆପଣଙ୍କୁ ବେଶି ସନ୍ତୁଷ୍ଟି ଦେଇଛି? କାହିଁକି?
ମୁଁ ସ୍ୱତଃସ୍ଫୂର୍ତ୍ତ ଭାବରେ ଜଣେ କବି ଓ କବି ଭାବରେ ହିଁ ପରିଚିତ । ସେଥିପାଇଁ ଭଲଗପଟିଏ ଲେଖିଚି ବୋଲି ଶୁଣିଲେ ମୋତେ ଗର୍ବ ଲାଗେ, ଖୁବ ମାନସିକ ସନ୍ତୋଷ ମିଳେ । ମୋର ଏକମାତ୍ର ଉପନ୍ୟାସଟି ଲେଖିଲାବେଳେ ମୁଁ ଗଭୀର ଆନନ୍ଦ ପାଇଥିଲି । କିନ୍ତୁ, ଓଡିଶା ବାହାରେ ଥିଲି, ତାକୁ ପରିଚିତ କରାଇ ପାରିଲିନି ବୋଲି ସନ୍ତୋଷ ମିଳିଲାନି । କିନ୍ତୁ କବିତା ମୋତେ ସର୍ଜନଶୀଳତାର ଶୁଦ୍ଧ ଆତ୍ମିକ ଆନନ୍ଦ ଦେଇଛି । ତାହା ଖୁସି ଓ ସନ୍ତୋଷ ଭାବ, ଗର୍ବଠାରୁ ଯଥେଷ୍ଟ ଅଧିକ ।

ଆପଣଙ୍କ ପ୍ରଥମ ଲେଖାଟି କଥା ଥିଲା ନା କବିତା? କେବେ, କେମିତି ଓ କେଉଁ ମାନସିକତାରୁ ଜନ୍ମ ନେଇଥିଲା ସେ ଲେଖା?
ମନେ ପଡୁଚି ମୁଁ ପ୍ରଥମେ କବିତା ହିଁ ଲେଖୁଥିଲି । ତାପରେ ଗପ ଲେଖିଥିଲି । ଏ ସୃଷ୍ଟିର ଓ ପ୍ରକୃତିର ସୌନ୍ଦର୍ଯ୍ୟ, ଜୀବନର ବୈଚିତ୍ର୍ୟ, ଏସବୁ ଭିତରେ ଏକ ପରମ ରହସ୍ୟର ଉପସ୍ଥିତି, ଆଉ ନିଜେ ଦିନେ ବିଶ୍ୱ ଜଗତରେ କିଛି ବଡ କାମ କରିବାର ଇଚ୍ଛା – ଏହି ଅସ୍ତିବାଚକ ମାନସିକତାରୁ ମୋର ପ୍ରଥମ ଅବସ୍ଥାର କବିତାଗୁଡିକ ସୃଷ୍ଟ ହୋଇଥିଲେ ।

ସ୍ୱାମୀ ଡକ୍ଟର ଦାଶଙ୍କ ସହ ମମତା ଦାଶ

ଜଣେ ସଫଳ ଲେଖକ ପାଇଁ କେଉଁ ଗୁଣସବୁ ଅନିବାର୍ଯ୍ୟ ବୋଲି ଭାବନ୍ତି? ସେଇ ଗୁଣସବୁ ଆପଣଙ୍କ ପାଖେ ଅଛି କି?
ଏ ପ୍ରଶ୍ନର ଉତ୍ତର ‘ସଫଳ ଲେଖକର ଅର୍ଥ’ ଉପରେ ନିର୍ଭର କରେ । ଯେଉଁ ଲେଖକ ସମ୍ମାନ, ପ୍ରସିଦ୍ଧି, ପୁରସ୍କାର ଇତ୍ୟାଦି ପାଇଥାନ୍ତି, ସେମାନଙ୍କର ବେଶି ପାଠକ ଥାଆନ୍ତୁ କି ନଥାନ୍ତୁ, ସେମାନଙ୍କ ସଫଳତା ସମସ୍ତଙ୍କ ଆଖିରେ ଝଲସୁଥାଏ; ମୂଲ୍ୟ ବି ଦିଆଯାଏ । ସେଥିପାଇଁ କେଉଁସବୁ ଦକ୍ଷତାର ଆବଶ୍ୟକତା ରହିଛି, ସେକଥା ସମସ୍ତେ ଜାଣନ୍ତି । କିନ୍ତୁ ଜଣେ ଉନ୍ନତ ଲେଖକର ସର୍ଜନଶୀଳ ପ୍ରେରଣା ଅନ୍ୟ ଅଦୃଶ୍ୟ ସ୍ତରରୁ ଆସିଥାଏ । ସେହି ପ୍ରେରଣାକୁ ନୂତନ, ସତେଜ ଓ ଆକର୍ଷଣୀୟ ଗଠନରେ ବ୍ୟକ୍ତ କରିବା ପାଇଁ ଅନେକ ଅଧ୍ୟୟନ, ଅଧ୍ୟବସାୟ, ମୁକ୍ତ ଓ ପ୍ରସାରିତ ଦୃଷ୍ଟି, କଳ୍ପନାଶକ୍ତି- ଏସବୁର ଆବଶ୍ୟକତା ରହିଚି । ଉତ୍ତମ ଲେଖକ ହେବା ପାଇଁ ଏସବୁ ଗୁଣ ମୋର ପ୍ରାୟ ରହିଛି । ମୁଁ ଏତେଦିନ ଧରି ଆନ୍ତରିକ ଓ ଗଭୀର ସାଧନା କରିଚି । କିନ୍ତୁ ମୋର କଳ୍ପନାଶକ୍ତି ଯଥେଷ୍ଟ ଶକ୍ତିଶାଳୀ ନୁହେଁ ବୋଲି ମୋର ମନେହୁଏ । ମନେହୁଏ ଯେ ଅତି ଉଚ୍ଚକୋଟୀର କବି ହେବାର କାବ୍ୟ ପ୍ରତିଭା ମୋର ଯେମିତି ନାହିଁ । ସେଥିପାଇଁ ଅତି ବିଶିଷ୍ଟ କବି ହୋଇ ପାରି ନାହିଁ ।

ଆପଣଙ୍କ କବିତାରେ ଥାଏ ଏକପ୍ରକାର ପ୍ରଚ୍ଛନ୍ନ ରହସ୍ୟମୟତା । କିନ୍ତୁ ଏବର କବିତା ଅତିରିକ୍ତ ବାସ୍ତବବାଦୀ । କିପରି ସମଦୂରତା ରକ୍ଷା କରନ୍ତି ଏହାର ପ୍ରଭାବରୁ?
ମୋତେ ପ୍ରାୟ ଜଣେ ରହସ୍ୟବାଦୀ କବି ବୋଲି କୁହାଯାଏ । ଏକ ଅଦ୍ଭୁତ ପ୍ରେମଧାରଣା ଓ ତାର ବିଫଳତା ମୋର ଅନେକ କବିତାର ବିଷୟବସ୍ତୁ । ମୋର ପ୍ରେମିକ ଏକ ରହସ୍ୟମୟ ସତ୍ତା । କେବେ ସେ ମଣିଷ ନୁହେଁ କି ଈଶ୍ୱର ନୁହନ୍ତି। କେବେ ସେ ମଣିଷ ବି, ଈଶ୍ୱର ବି । ଏ ସଂସାରର ସମସ୍ତ ବାସ୍ତବତାକୁ ମୁଁ ସହିଛି, ଭୋଗିଛି, ବିଶୋଷିତ କରିଛି; ସେକଥା କବିତାରେ କିଛି ଲେଖିଚି । କିନ୍ତୁ ସମ୍ପୂର୍ଣ୍ଣ ବାସ୍ତବବାଦୀ କବିତା ଲେଖିବାକୁ ମୁଁ ଅକ୍ଷମ ହୋଇପଡେ । କିଏ କେଉଁଠି ହସିଦେଇ ମୋତେ ସତେକି କହେ, ମୁଁ ପରା ଅଛି, ମୁଁ ପରା ସବୁ ବାସ୍ତବ ସମସ୍ୟାର ସମାହିତ ବିନ୍ଦୁ, ମୁଁ ହିଁ ଚରମ ବାସ୍ତବତା ।

ମୋର ଏବେକାର ମାୟାନ୍ଧକାର ସଂକଳନରେ କିଛି ବାସ୍ତବବାଦୀ କବିତା ଅଛି । ମୁଁ ଚେଷ୍ଟା କରି ତ ଅନ୍ୟ ପ୍ରକାର କବିତା ଲେଖିପାରିବି ନାହିଁ । ମୋର କବିତାର ଏହି ମୌଳିକ ବିଶେଷତ୍ୱ କେତେକଙ୍କୁ ଆକୃଷ୍ଟ କରେ, କେତେକ କୁହନ୍ତି ଏହା ମୋର ସୀମାବଦ୍ଧତା ।

ପଣ୍ଡିଚେରୀ ପରି ଏକ ଆଧ୍ୟାତ୍ମିକ ପରିବେଶରେ ଆପଣ ଦୀର୍ଘ ଦିନ କାଟିଛନ୍ତି । ଜଣେ ଲେଖକ ତାର ଆଚରଣ ଓ ଉଚ୍ଚାରଣରେ ଆଧ୍ୟାତ୍ମିକ ହେବା ଜରୁରୀ କି?
ପିଲାଟି ଦିନରୁ ମୁଁ ସତ୍ୟକୁ ଖୋଜିଛି । ନିଜ ପ୍ରକୃତ ପରିଚୟକୁ ଖୋଜିଚି । ଏ ସୃଷ୍ଟିର ଯଦି କେହି ସୃଷ୍ଟିକର୍ତ୍ତା ଅଛନ୍ତି, ତାଙ୍କୁ ଖୋଜିଛି । ୧୧ ବର୍ଷ ବୟସରୁ ମୁଁ ଭାଗବତ, ଗୀତା, ବୁଦ୍ଧ, ଶ୍ରୀରାମକୃଷ୍ଣ, ସ୍ୱାମୀ ବିବେକାନନ୍ଦଙ୍କୁ ପଢ଼ିଛି, ବୁଝିଛି । ମୁଁ ୧୬ ବର୍ଷ ବୟସରେ ଶ୍ରୀମା’ଙ୍କର ବହିଟିଏ ହଠାତ୍‍ ପାଇଲି । ତାକୁ ପଢିବା ପରେ ତାଙ୍କୁ ଓ ଶ୍ରୀ ଅରବିନ୍ଦଙ୍କୁ ଜାଣିଲି । ସେ ଦର୍ଶନ ଓ ଲକ୍ଷ୍ୟ ମୋତେ ଏତେ ପ୍ରଭାବିତ କଲା ଯେ ମୁଁ ସେହିଦିନୁ ସେମାନଙ୍କୁ ଗୁରୁ ଓ ମାର୍ଗଦର୍ଶକ ବୋଲି ଗ୍ରହଣ କରିଚି । ମୁଁ ସାରା ଭାରତର ଅନେକ ଆଶ୍ରମରେ ରହିଚି । ସାଧୁ ସନ୍ଥଙ୍କୁ ଭେଟିଚି । ପଣ୍ଡିଚେରୀରେ ୧୨ବର୍ଷ ରହିଚି । ଏହି ଚେତନାର ପ୍ରଭାବ ମୋ ଲେଖାରେ ପଡିଛି । କିନ୍ତୁ ଏହା ମୋର ବ୍ୟକ୍ତିଗତ ଉପଲବ୍ଧି । ସମସ୍ତେ କାହିଁକି ଆଧ୍ୟାତ୍ମିକ ଭାବାପନ୍ନ ହେବେ? ଯିଏ ଯାହା ପ୍ରେରଣାରୁ ଲେଖିବେ । କିନ୍ତୁ କବିତା ଏକ ଅନନ୍ୟ ଉଚ୍ଚତା ଓ ଗଭୀରତାକୁ ସ୍ପର୍ଶ କଲେ ହିଁ ମୋତେ ଭଲ ଲାଗେ ।

ଏବେ ଲେଖାଲେଖି କରୁଥିବା ତରୁଣମାନଙ୍କ ଉପରେ ଆପଣଙ୍କ ମତ କଣ?
ବର୍ତ୍ତମାନ ସମୟର ଲେଖକମାନେ ଖୁବ୍ ଉତ୍ସାହୀ । ସେମାନେ ପ୍ରଚୁର ଲେଖୁଛନ୍ତି । ପ୍ରଚୁର ବହି ବାହାରୁଛି । ସେମାନେ ସମାଜସଚେତନ । ଅଧିକାଂଶ ସମୟରେ ବିଦ୍ରୋହ, ବିଦ୍ରୂପ ଓ କୁତ୍ସିତ ଜୀବନର ନିଚ୍ଛକ ପ୍ରତିବିମ୍ବ ସେମାନଙ୍କ ରଚନାରେ ସ୍ପଷ୍ଟ । ଲେଖିବାର ଶୈଳୀ, ଚିତ୍ରକଳ୍ପ ଗଠନ ମଧ୍ୟ ନୂତନ । କିଂତୁ ମୋତେ ଲାଗେ, ସେମାନେ ଆହୁରି ଗଭୀରତାକୁ ଯାଇ ପାରନ୍ତେ । ଆହୁରି ନିଷ୍ଠାପର ଭାବେ ସାଧନାରେ ମଗ୍ନ ରହିଲେ ସେମାନେ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ ଲେଖି ପାରନ୍ତେ । କିଛି ଉପରଠାଉରିଆ ଚାଞ୍ଚଲ୍ୟ ବେଳେବେଳେ ସେମାନଙ୍କ ପ୍ରତିଭାକୁ ବ୍ୟାହତ କରୁଚି । ବ୍ୟଞ୍ଜନାତ୍ମକ ନହୋଇ କବିତାର ଭାଷା ବର୍ଣ୍ଣନାତ୍ମକ ହୋଇ ଯାଉଛି । ମୁଁ ବର୍ତ୍ତମାନର ଯୁବପ୍ରତିଭାଙ୍କ ଉପରେ ଖୁବ୍ ଆଶାବାଦୀ ନିଶ୍ଚୟ ।

କୁହାଯାଏ, ସାହିତ୍ୟ ମୁକ୍ତିର ମାର୍ଗ ଦେଖାଏ! କେହିକେହି କହନ୍ତି, ଏହା ସମାଜର ପ୍ରତିବିମ୍ବ । ଏ ଉଭୟ ମନ୍ତବ୍ୟ ପରସ୍ପର-ବିରୋଧୀ । ଆପଣ ସାହିତ୍ୟକୁ କିପରି ଦେଖନ୍ତି? ଏହାର ଭୂମିକା ପ୍ରକୃତରେ କଣ?
ସାହିତ୍ୟ ସମାଜର ପ୍ରତିବିମ୍ବ ନୁହେଁ । ସାହିତ୍ୟ ଏହି ଦୃଶ୍ୟ-ଜଗତ ଓ ତାହା ବାହାରେ ଥିବା ଅନେକ ଅଦୃଶ୍ୟ-ଜଗତର ପୁନଃ ସର୍ଜନା । ଏହା ମୋକ୍ଷ, ମୁକ୍ତି କି ନିର୍ବାଣ ଆଡକୁ ନିଶ୍ଚିତ ଭାବେ ନେଇଯିବ- ଏମିତି ସମ୍ଭାବନା ନାହିଁ । ଜଣେ ସାହିତ୍ୟିକ ଏସବୁ ସାଧନାରେ ସିଦ୍ଧି ପାଇ ପାରେ, ସେକଥା ଭିନ୍ନ। ଯେଉଁ ମୁହୂର୍ତ୍ତରେ ଜଣେ ସାହିତ୍ୟିକ ସୃଷ୍ଟି କରେ, ସେ ତାର ‘ମୁଁ’ରୁ ମୁକୁଳିଯାଏ । ସେଇ ଅଭିଜ୍ଞତାଟିରେ ମଗ୍ନ ହୋଇଯାଏ । ନିଜକୁ ବିଛାଇ ଦିଏ । କିନ୍ତୁ ଏହା ସାମୟିକ । ପ୍ରେରଣା ଚାଲିଗଲେ ସେ ପୁନର୍ବାର ଯାହା ତାହା ହୋଇଯାଏ । ମୋର ବିଶ୍ୱାସ, ସାହିତ୍ୟର ଭୂମିକା ହେଉଚି ନିଜର ଚେତନାରେ ଏହି ମହାର୍ଘ ମୁହୂର୍ତ୍ତଟିକୁ ଧରି ରଖିବା । ସାରା ସୃଷ୍ଟିକୁ ଭିନ୍ନ ଭାବରେ ଦେଖି ତାହାକୁ ପୁଣି ସର୍ଜନା କରିବାର ଆନନ୍ଦ ଲାଭ କରିବା ଓ ପାଠକର ଚେତନାରେ ଗୋଟିଏ ନୂତନ ଝରକା ଖୋଲି ଦେଇ ଏହି ଆନନ୍ଦକୁ ସଂଚାରିତ କରିବା।

ଆପଣଙ୍କ ଜୀବନ ଉପରେ ସାହିତ୍ୟର ପ୍ରଭାବ କଣ? ସାହିତ୍ୟରେ ନଥିଲେ ଜୀବନର ଗତିପଥ ବଦଳି ଯାଇଥାନ୍ତା କି?
ମୋ ଜୀବନରେ ସାହିତ୍ୟର ଅବଦାନ ଅତୁଳନୀୟ । ସାହିତ୍ୟ ପଢିବା, ଅନ୍ତରାତ୍ମାରେ ତାହାକୁ ଧାରଣ କରିବା ଓ ଲେଖିବା ମୋର ଚେତନାର ବେଶି ଭାଗକୁ ଆକ୍ରାନ୍ତ କରି ରଖିଛି ସାରା ଜୀବନ । ଯେତେବେଳେ ପରିସ୍ଥିତିର ତାଡନାରେ ମୁଁ ସାହିତ୍ୟଠାରୁ ଦୂରେଇ ଯାଇଛି, ମୁଁ ମୃତପ୍ରାୟ ବଞ୍ଚିଛି । ମୋ ଜୀବନ ଖୁବ୍ ସଂଘର୍ଷମୟ, ଦାରୁଣତମ ଘଟଣାବଳୀରେ ଭାରାକ୍ରାନ୍ତ । ସାହିତ୍ୟ ହିଁ ମୋର ଅମୃତ ବିନ୍ଦୁ । ମୋର ସକଳ ସୌନ୍ଦର୍ଯ୍ୟର, କଳ୍ପନାର, ସତ୍ୟ ଓ ପ୍ରେମର ପରମ ଉତ୍ସ । ମୁଁ ଯଦି ସାହିତ୍ୟ ପଢି ନଥାନ୍ତି ଓ ଲେଖିନଥାନ୍ତି, ତେବେ ଏହିପରି ବଂଚି ପାରିନଥାନ୍ତି । ମୋତେ ଈଶ୍ୱର ଏହି ମହାଦାନ ଦେଇଥିବାରୁ ମୁଁ ତାଙ୍କ ପ୍ରତି କୃତଜ୍ଞ ଅସୀମ ଭାବରେ ।

Comments are closed.