Latest Odisha News

BREAKING NEWS

କଥାକାର ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ବରିଷ୍ଠ କଥାକାର ପ୍ରଦୀପ ଦାଶ ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ରଚିତ ଉପନ୍ୟାସ ‘ଚରୁ ଚିବର ଓ ଚର୍ଯ୍ୟା’ ପାଇଁ ସେ ରାଜ୍ୟର ଏହି ସର୍ବାଧିକ ଅର୍ଥରାଶିବିଶିଷ୍ଟ ପୁରସ୍କାର ପାଇବେ । ଇମ୍ଫା ଚାରିଟେବଲ୍‍ ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ପ୍ରତିବର୍ଷ ଜଣେ ପ୍ରଭାବଶାଳୀ ଓଡ଼ିଆ ଲେଖକଙ୍କୁ ପ୍ରଦାନ କରାଯାଇଥାଏ ।

ଫଟୋ ସୌଜନ୍ୟ: କୃଷ୍ଣ କୁମାର ମହାନ୍ତି

ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ୪୦ତମ ଶାରଳା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଡକ୍ଟର ଦାଶ । ପୁରସ୍କାର ସ୍ୱରୂପ ଡ. ଦାଶଙ୍କୁ ପାଞ୍ଚଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ ।

1961ରେ ଜନ୍ମିତ ଶ୍ରୀଯୁକ୍ତ ଦାଶ ସମାଜର ଅବହେଳିତ ଚରିତ୍ରମାନଙ୍କର କଥା ତାଙ୍କ ଗପରେ କହି ଆସିଛନ୍ତି । ଗ୍ରାମ୍ୟ ଜୀବନର ଚିତ୍ର ଓ ଚରିତ୍ର ତାଙ୍କ ଗପର ମୌଳିକ ବିଭବ । ‘ଘୁମ ପାହାଡର ନଈ’, ‘ବର୍ବର ମୀମାଂସା’, ‘ସସେମିରା’ ଆଦି ଗଳ୍ପ ସଙ୍କଳନର ମଧ୍ୟ ସେ ସାର୍ଥକ ସ୍ରଷ୍ଟା। ‘ଘୁମ ପାହାଡର ନଈ’ ପାଇଁ ଶ୍ରୀଯୁକ୍ତ ଦାଶ 1998ରେ ପାଇଥିଲେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଓଡିଶା ପ୍ରଶାସନିକ ସେବାର ଜଣେ ପଦାଧିକାରୀ ଭାବେ ସଂପ୍ରତି ଶ୍ରୀଯୁକ୍ତ ଦାଶ ଜଳସମ୍ପଦ ବିଭାଗର ସ୍ଵତନ୍ତ୍ର ସଚିବ ରୂପେ କାର୍ଯ୍ୟ କରୁଛନ୍ତି ।

ଆସନ୍ତା ୨୬ ସେପ୍ଟେମ୍ବର ୨୦୧୯ରେ ସ୍ଥାନୀୟ ମେ ଫେୟାର ଲାଗୁନରେ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଡକ୍ଟର ଦାଶଙ୍କ ସହିତ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଏବଂ ଶ୍ରୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ରେ ମଧ୍ୟ ସମ୍ମାନିତ କରାଯିବ । ପୁରସ୍କାର ରୂପେ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ ।

Comments are closed.