Latest Odisha News

ଭାଇଜାନଙ୍କ ହାତରୁ ଖସୁଛି ଷ୍ଟାରଡମ

ମୁମ୍ବାଇ: ୯୦ ଦଶକରୁ ସଲମାନ ଖାଁ ବଲିଉଡରେ ଏକପ୍ରକାର ରାଜୁତି ଚଳାଇଥିଲେ । ଲଭରବୟରୁ ଆକ୍ସନ ହୀରୋ ପର୍ଯ୍ୟନ୍ତ ସେ ସବୁଥିରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ସଲମାନଙ୍କ ବଜରଙ୍ଗୀ, ଚୁଲବୁଲ ପାଣ୍ଡେ, ଡେଭିଲ ଓ ରାଧେ ଚରିତ୍ର ଏବେ ବି ପ୍ରଶଂସକଙ୍କ ମନରୁ ଯାଇ ନାହିଁ । ଭାଇଜାନ ଭାବେ ପରିଚିତ ସଲମାନ ତାଙ୍କ ଷ୍ଟାରଡମ ଏବେ ଏକପ୍ରକାର ହରାଇଛନ୍ତି । ୨୦୧୭ ପରଠାରୁ ସେ ବଡ ହିଟ ଦେଇ ନାହାନ୍ତି । ନିକଟରେ ରିଲିଜ ହୋଇଥିବା ସିକନ୍ଦର ଫିଲ୍ମର ଅସଫଳତା ତାଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି । ପ୍ରଶଂସକ ତାଙ୍କଠାରୁ ଦୂରେଇବା ଆରମ୍ଭ କରିଛନ୍ତି ।

୯୦ ଦଶକ ପରେ ବଲିଉଡରେ ଅମୀର ଖାଁ, ସଲମାନ ଖାଁ ଓ ଶାହାରୁଖ ଖାଁଙ୍କ ରାଜୁତି ଥିଲା । ଏମାନଙ୍କ ମଧ୍ୟରେ ସଲମାନଙ୍କ ପ୍ରଶଂସକଙ୍କ ସଂଖ୍ୟା ଆଗରେ ରହିଥିଲା । ଟାଇଗର ଜିନ୍ଦା ହେ ପରଠାରୁ ସଲମାନଙ୍କ ଯାଦୁ ଆଉ ଦେଖିବାକୁ ମିଳୁ ନାହିଁ । ବୟସ ଅନୁସାରେ ମଧ୍ୟ ସଲମାନ ଫିଲ୍ମ ସାଇନ କରୁ ନାହାନ୍ତି ।
ପୁରୁଣା ଷ୍ଟାଇଲ ଯୋଗୁ ଦର୍ଶକ ହେଉଛନ୍ତି ବୋର: ୨୦୧୭ ସଲମାନଙ୍କ ପାଇଁ ଏକ ଭଲ ବର୍ଷ ଥିଲା । ସେହି ବର୍ଷ ଟ୍ୟୁବଲାଇଟ ଫିଲ୍ମ ଫ୍ଲପ ହୋଇଥିଲେ ମଧ୍ୟ ଟାଇଗର ଜିନ୍ଦା ହେ ୩୪୦ କୋଟି ଆୟ କରିଥିଲା । ଏହା ପୂର୍ବରୁ ୨୦୧୬ରେ ସୁଲତାନ ଓ ୨୦୧୫ରେ ବଜରଙ୍ଗୀ ଭାଇଜାନ ୩୦୦ରୁ ଊର୍ଦ୍ଧ୍ୱ ଆୟ କରିଥିଲା । ୨୦୧୭ପରଠାରୁ ସଲମାନ ତାଙ୍କ ପୁରୁଣା ଫିଲ୍ମର ସୀକ୍ୱେଲରେ ଦେଖିବାକୁ ମିଳିଛନ୍ତି । ଏହା ମଧ୍ୟରେ ଦବଙ୍ଗ ୩, ରେସ ୩ ଓ ଟାଇଗର ୩ ପରି ଫିଲ୍ମ ସାମିଲ । ବାରମ୍ବାର ଗୋଟିଏ ପ୍ରକାରର କାହାଣୀ ଏବଂ ଷ୍ଟାଇଲରେ ଦର୍ଶକ ବୋର ହୋଇ ଯାଉଛନ୍ତି ।୩୦୦ କୋଟିର ଟ୍ରେଣ୍ଡ: ଅମୀର ଖାଁଙ୍କ ପିକେ ୨୦୧୪ରେ ୩୦୦ କୋଟି ଆୟର ଟ୍ରେଣ୍ଡ ସୃଷ୍ଟି କରିଥିଲା । ଏହା ପରେ ସଲମାନ ୩୦୦ କୋଟିର ହୀରୋ ସାଜିଥିଲେ । ସେ ସମୟରେ ଶାହାରୁଖ ପଛରେ ପଡି ଯାଇଥିଲେ । ଅବଶ୍ୟ ଜୱାନ, ପଠାନ ଓ ଡଙ୍କି ଫିଲ୍ମ ମାଧ୍ୟମରେ ଶାହାରୁଖ ଏବେ ଏମାନଙ୍କ ତୁଳନାରେ ଭଲ ସ୍ଥିତିରେ ଅଛନ୍ତି ।

ବଦଳୁଛି ଦର୍ଶକଙ୍କ ପସନ୍ଦ : ଏବେକାର ଦର୍ଶକ କିଛି ନୂଆ ଚାହୁଁଛନ୍ତି । କ୍ରମାଗତ ଏକପ୍ରକାରର ଫିଲ୍ମରେ ଅଭିନୟ କରି ସଲମାନ ପ୍ରଶଂସକଙ୍କ ଆଉ ବିଶ୍ୱାସ ଜିତି ପାରୁ ନାହାନ୍ତି । ନୂଆ ପିଢ଼ୀ ବିଶେଷ ଆକୃଷ୍ଟ ହେଉ ନାହାନ୍ତି । ୨୦୧୭ ପରେ ସେ ୧୦ଟି ଫିଲ୍ମରେ କ୍ୟାମିଓ କରିଛନ୍ତି । ଏଥିରେ ମଧ୍ୟ ତାଙ୍କର ଚିରାଚରିତ ଷ୍ଟାଇଲ ରହିଥିଲା ।

ହାତରୁ ଖସୁଛି ବଡ ପ୍ରୋଜେକ୍ଟ: ସାଉଥର ଅଟଲୀ କୁମାର ଜୱାନ ଫିଲ୍ମ ମାଧ୍ୟମରେ ଶାହାରୁଖଙ୍କୂ ପୂନର୍ବାର ଷ୍ଟାରଡମ ପ୍ରଦାନ କରିଥଲେ । ତାଙ୍କ ସହିତ ସଲମାନଙ୍କ ଫିଲ୍ମ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ଏବେ ଅଟଲୀ ଏହି ଫିଲ୍ମକୁ ବନ୍ଦ କରି ଦେଇଛନ୍ତି । ସାଜିଦ ନାଡିୱାଡୱାଲା କିକ ୨ ଆରମ୍ଭ କରିବା ନେଇ ଆଗ୍ରହୀ ନାହାନ୍ତି । କରଣ ଜୋହରଙ୍କ ଦି ବୁଲ, ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଇନ୍ସଆଲ୍ଲାହ ମଧ୍ୟ ବନ୍ଦ ହୋଇଯାଇଛି । ଯଦି ଆଉ ଗୋଟିଏ ଦୁଇଟା ବଡ ପ୍ରୋଜେକ୍ଟ ସଲମାନଙ୍କ ହାତରୁ ଖସିବ ତେବେ ଭାଇଜାନଙ୍କ କ୍ୟାରିୟରରେ ବଡ ସମସ୍ୟା ସୃଷ୍ଟି କରିବ ।

Comments are closed.