ଲକ୍ଷ୍ନୌ: କ୍ୟାମେରାରେ କଏଦ୍ ହେଲା ଲାଇଭ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ସାମାଜବାଦୀ ପାର୍ଟି ନେତା ଓ ତାଙ୍କ ପୁଅକୁ ଗଳି କରି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ହତ୍ୟାକାଣ୍ଡ ଘଟିଛି ୟୁପିର ସମ୍ଭାଲା ଜିଲ୍ଲା ଚନ୍ଦୌସିରେ।
ଏଠାରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାନସଭା ପ୍ରାର୍ଥୀ ଛୋଟେଲାଲ ଦିବାକର ଓ ତାଙ୍କ ପୁଅଙ୍କୁ ସକାଳେ ଗୁଳି କରି ହତ୍ୟା କରାଯାଇଛି । ତେବେ ଏହି ହତ୍ୟାକାଣ୍ଡର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଯାଇଛି। ସମାଜବାଦୀ ପାର୍ଟିର ଟୁଇଟର ହ୍ୟାଣ୍ଡେଲ୍ରେ ଏହି ଭିଡିଓକୁ ସେୟାର କରାଯାଇଛି। ଏହି ଗୁଳିକାଣ୍ଡ ପରେ ପୁରା ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି।
ସମ୍ଭଲ ପୋଲିସ କହିବାନୁସାରେ, ମନରେଗା ଅଧୀନରେ ରାସ୍ତା କାମ ଚାଲିଥିଲା। ଏହି କାମକୁ ନେଇ କିଛି ଲୋକଙ୍କର ଛୋଟେଲାଲ ଦିବାକରଙ୍କ ସହିତ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଭୟଙ୍କର ରୂପ ନେଇ ହତ୍ୟାକାଣ୍ଡରେ ପରିଣତ ହୋଇଥିଲା। ବାପ-ପୁଅ ଦୁହିଁଙ୍କୁ ଗୁଳିମାରି ହତ୍ୟା କରିବା ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ, ଛୋଟେଲାଲ ଦିବାକର ୨୦୧୭ରେ ବିଧାନସଭା ନିର୍ବାଚନରେ ସାମାଜବାଦୀ ପାର୍ଟିର ଟିକେଟରେ ଲଢ଼ିଥିଲେ।