ସମ୍ବଲପୁର: ସମ୍ବଲପୁର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣା । ଲୁଟର ମାଷ୍ଟରମାଇଣ୍ଡ ସୁବୋଧ ସିଂହକୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୋଲିସ । ପଶ୍ଚିମବଙ୍ଗର ପ୍ରେସିଡେନ୍ସି ଜେଲରେ ଥିଲା ମାଷ୍ଟରମାଇଣ୍ଡ ସୁବୋଧ ସିଂହ । ଆଜି ସମ୍ବଲପୁର ଏସ୍ଡିଜେଏମ୍ କୋର୍ଟରେ ସୁବୋଧକୁ ହାଜର କରାଯିବ । ଏଥିସହ ସୁବୋଧକୁ ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ସମ୍ବଲପୁର ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ ଗତ ଜାନୁଆରି ୩ ତାରିଖ ଦିନ ସକାଳ ୧୦ଟା ସମୟରେ ଡକାୟତି ହୋଇଥିଲା । ୬ ରୁ ୭ ଜଣ ହେଲମେଟ ପିନ୍ଧା ଡକାୟତ ଆସି ବନ୍ଧୁକ ମୁନରେ କମ୍ପାନୀର କର୍ମଚାରୀଙ୍କୁ ଧମକ ଦେଇ ଲକରରୁ ପ୍ରାୟ ୩୦ କେଜି ସୁନା ଓ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ପୋଲିସ ପୂର୍ବରୁ ୨ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଦୀର୍ଘ ୧ ମାସ ପରେ ଅନ୍ୟ ଏକ ମାଷ୍ଟରମାଇଣ୍ଡ ଉତ୍ତମ ପାଶୱାନକୁ ଗିରଫ କରିଥିଲା ପୋଲିସର ସ୍ବତନ୍ତ୍ର ଟିମ୍ । ତେବେ ଏହି ଘଟଣାରେ ପୂର୍ବରୁ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଉଛନ୍ତି ଆସାମ ଗୌହାଟୀର ଉତ୍ତମ ପାଶୱାନ, ବିହାର ହାଜିପୁରର ଅଜୟ ପାଶଓ୍ବାନ ଓ ପଙ୍କଜ ପାଶୱାନକୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ସୁବୋଧର ହାତ ଥିବା କୁହାଯାଉଛି । ଜେଲରେ ଥାଇ ସୁବୋଧ ସାରା ଭାରତରେ ହେଉଥିବା ବଡ ବଡ ଲୁଟକୁ ଅପରେଟ କରୁଥିବା ଅଭିଯୋଗ ହୋଇଛି ।
Comments are closed.