Latest Odisha News

BREAKING NEWS

ପ୍ରାର୍ଥୀପତ୍ର ନାକଚ ପରେ ଧାରଣାରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ

ନବରଙ୍ଗପୁର: ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସ ଆଗରେ ମହିଳାଙ୍କ ଧାରଣା । ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ ମହିଳା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କୁସୁମୀ ଗାଁର ନମିତା ସାଗରିଆ । ଗତକାଲି ଜାତିଗତ ପ୍ରମାଣପତ୍ରରେ ଭୁଲ ଥିବା ଦର୍ଶାଇ ତାହା ନାକଚ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ରାତିରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ନମିତା ।

ଜାନୁଆରୀ ୧୮ତାରିଖରେ ତେନ୍ତୁଳିଖୁଣ୍ଟି ତହସିଲ ଅଫିସରୁ ଜାତିଗତ ପ୍ରମାଣପତ୍ର ପାଇଥିଲେ ନମିତା ସାଗରିଆ । ହେଲେ ବିଡ଼ିଓ ଗତକାଲି ରାତିରେ ପ୍ରାର୍ଥୀପତ୍ର ନାକଚ ସୂଚନା ଦେଇଥିଲେ । ଏହାକୁ ପ୍ରତିବାଦ କରି ୩ମାସର ଗର୍ଭବତୀ ଥିବା ଆଶାୟୀ ସମିତି ସଭ୍ୟା ପ୍ରାର୍ଥୀ ଧାରଣାରେ ବସିଛନ୍ତି । ନାମାଙ୍କନକୁ ଜାଣିଶୁଣି ନାକଚ କରିଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ରାତିଠାରୁ ଏଯାଏଁ ଧାରଣା ଦେଇଥିଲେ ମଧ୍ୟ କୌଣସି ଅଧିକାରୀ ମହିଳାଙ୍କ ନିକଟକୁ ଆସିନାହାନ୍ତି ।

ପ୍ରାର୍ଥୀପତ୍ର ନାକଚର ପ୍ରକୃତ କାରଣ ଜଣାନପଡ଼ିବା ଯାଏଁ ଧାରଣା ଜାରି ରହିବ । ପ୍ରାର୍ଥୀପତ୍ରକୁ କାଏମ କରାନଗଲେ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି ନମିତା ସାଗରିଆ ଓ ତାଙ୍କ ବାପା । ଗର୍ଭବତୀ ଥିବାରୁ ତାଙ୍କର ଯଦି କୌଣସି ଅସୁବିଧା ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ସେ କହିଛନ୍ତି । ଏସମ୍ପର୍କରେ ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ନିର୍ବାଚନ ସମ୍ପର୍କୀୟ ଘଟଣାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ସ୍ଥାନୀୟ ଏସଡ଼ିପିଓ ମହିଳାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଧାରଣାରୁ ହଟିବା ପାଇଁ ମନା କରିଦେଇଛନ୍ତି ।

Comments are closed.