ସଁବାଳୁଆ
ସୁରେଶ ନାୟକ
କି ସାଙ୍ଘାତିକ ଲାଳସା କୀଟର!
ଏତେ ସକାଳୁ ଗଛଲଟାରୁ ବାହାରି
ଲମ୍ବାଲମ୍ବା ପାହୁଣ୍ଡ ପକାଇ
ବାଲକୋନି ରେଲିଂ ଡେଇଁ
ଲୁଗାତାର, ତାରରେ ଶୁଖୁଥିବା ଅହଂକାର ଡେଇଁ ଏବେ
ଛାତର ଗୋଟିଏ କୋଣରେ ସ୍ଥିର, ଆତ୍ମସ୍ଥ।
ସେତେବେଳେ ଆମେ ସବୁ ଅସ୍ଥିର
ନିଜନିଜ କାମନା ବାସନାସବୁକୁ
ମଜାମଜି କରି ସଜାଇବସୁ ରୋଷେଇ ଘରେ।
କାହାକାହାକୁ ରାସ୍ତାରେ ଅଟକାଇ
ପଚାରିଦେଉ ଭଲମନ୍ଦ, ମୁର୍କି ହସୁହସୁ
ସାଇକେଲ ସଳଖି ପ୍ୟାଡଲ୍ ମାରୁ ଦୂର ଗାଁ।
କାଲି ଡାକରେ ଆସିଥିବା ଚିଠି
ତମର କି ନୁହେଁ ଖୋଲି ଦେଖିନି,
ଆଉ ଆବଶ୍ୟକ ପଡିବନି ଠିକଣା ଖୋଜା।
ମାନୁଛି,
ଏବେ ଯାଏଁ ମୁଁ ହିଁ ଶୁଣାଇ ଆସିଛି ନିଜକୁ
କଥାରେ ମାଂଜ ଦେଇ, ବନେଇ ଚୁନେଇ।
ସମୟ ଗାଡିଯାଉଥିବ,
କେବେଦିନେ
ସଁବାଳୁଆର ବିଶ୍ୱାସ ଓ ତପସ୍ୟା
ଆମେ ଆବୋରିନେବା।
ନିଜ ଦୁଃଖ ସହ
ବନ୍ଦୀ କରିନେବା ନିଜକୁ ଢ଼ାଙ୍କୁଣୀ ଭିତରେ।
ଆମ ଭିତରୁ ଯେଉଁ ଜଣେ ମୁକ୍ତି ଖୋଜୁଥିବ
ସେ ଜଣକ କଣ ତମେ?
ପୃଥିବୀର ଗତି ଟିକେ ଧିମା ହୋଇଅସୁଥିବ
ପାର୍କରେ ଧାଁଦୌଡ଼ ଲାଗିଥିବ ପିଲାଙ୍କର
ସାରାରାତି କେହି ସନ୍ତର୍ପଣରେ ଘୂରି ବୁଲୁଥିବ
ସିଟି ମାରି ଆମ ଆଖେପାଖେ
ଏୟା ଶୁଣାଇବା ସୁଯୋଗରେ-
ଆସନ୍ତା କାଲି ଆମକୁ ବାହାରିଯିବାକୁ ହେବ
ଆଉ କାହା ଛଦ୍ମବେଶରେ।
………………………….
ପଣ୍ଡିଚେରୀ
Comments are closed.