Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଲୋକପ୍ରିୟ ନିର୍ଦ୍ଦେଶକ ସନୋଜ ମିଶ୍ର

ମୁମ୍ବାଇ: ମହାକୁମ୍ଭରେ କଜ୍ୱଳ ଲଗା ଆଖି ଓ ମନମୋହକ ହସ ଯୋଗୁ ଭାଇରାଲ ହୋଇଥିବା ରୁଦ୍ରାକ୍ଷ ମାଳି ବିକୁଥିବା ଯୁବତୀ ମୋନାଲିସାଙ୍କୁ ଫିଲ୍ମ ପାଇଁ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ଗିରଫ । ଦୁଷ୍କର୍ମ ମାମଲାରେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିବା ପରେ ତାଙ୍କୁ ଗିରଫ କରିଛି ଦିଲ୍ଲୀର ନବି କରିମ ପୋଲିସ ଷ୍ଟେସନ ।

ସୂଚନା ଅନୁସାରେ, ୨୦୨୦ ମସିହାରେ ଅଭିଯୋଗ କରିଥିବା ପୀଡିତା ଜଣଙ୍କ ଟିକଟକ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ସନୋଜ ମିଶ୍ରଙ୍କୁ ଭେଟିଥିଲେ । ଏହାପରେ ନିର୍ଦ୍ଦେଶକ ତାଙ୍କୁ ଜୁନ୍ ୧୭, ୨୦୨୧ରେ ଫୋନ୍ କରି ଦେଖା ହେବାକୁ ଡାକିଥିଲେ । କିନ୍ତୁ ପୀଡିତା ଜଣଙ୍କ ତାଙ୍କୁ ଭେଟିବାକୁ ମନା କରିଦେଇଥିଲେ । ପୀଡିତାଙ୍କ ମନାକରିବା ସତ୍ତ୍ଵେ ମଧ୍ୟ ଥମିନଥିଲେ ସନୋଜ । ତାଙ୍କୁ ସନୋଜ ମିଶ୍ର ତାଙ୍କୁ ଧମକ ଦେଇଥିଲେ । ଏହା ପରେ ପୀଡିତା ଭୟରେ ତାଙ୍କୁ ଭେଟିବାକୁ ଯାଇଥିଲେ । ପରଦିନ ସନୋଜ ମିଶ୍ର ତାଙ୍କୁ ପୁଣି ଥରେ ଫୋନ୍ କରି ଧମକ ଦେଇ ରେଳ ଷ୍ଟେସନକୁ ଡାକିଥିଲେ । ଏହାପରେ ସନୋଜ ସେହି ଝିଅକୁ ଏକ ରିସର୍ଟକୁ ନେଇଯାଇଥିଲେ ଏବଂ ନିଶା ଦ୍ରବ୍ୟ ଦେବା ପରେ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡିତା ଜଣଙ୍କ । ଏପରିକି ତାଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ କରି ତାଙ୍କୁ ବ୍ଲାକମେଲ୍ କରୁଥିବା ନେଇ ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ପୀଡିତା ଜଣଙ୍କ । ପୀଡିତା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ଦ୍ଦେଶକ ସନୋଜ ତାଙ୍କୁ ବିବାହ ପ୍ରତିଶୃତି ଦେଇ ଅନେକ ଥର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହା ବ୍ୟତୀତ ନିଜ ଚଳଚ୍ଚିତ୍ରରେ କାମ ଦେବାର ପ୍ରତିଶ୍ରୁତି ଦେଇ ପ୍ରଲୋଭନ ମଧ୍ୟ ଦେଖାଇଥିଲେ ।

କହିରଖୁଛୁ ଯେ, ମହାକୁମ୍ଭ କାଳରେ ପ୍ରୟାଗରାଜରେ ରହି ରୁଦ୍ରାକ୍ଷ ବେପାର କରୁଥିବା ମୋନାଲିସାଙ୍କ ସହ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ଫିଲ୍ମ ‘ଦି ଡାୟେରୀ ଅଫ ମଣିପୁର’ ପାଇଁ ଚୁକ୍ତି କରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା । ମୋନାଲିସାଙ୍କୁ ଖୋଜି ଖୋଜି ନିର୍ଦ୍ଦେଶକ ସୋନୋଜ ମିଶ୍ର ମଧ୍ୟପ୍ରଦେଶ ମହେଶ୍ୱରକୁ ଯାଇଥିଲେ। ସେଠାରେ ମୋନାଲିସାଙ୍କୁ ସେ ଭେଟିଥିବା ବେଳେ ନିଜ ଫିଲ୍ମ ପାଇଁ ତାଙ୍କୁ ଚୁକ୍ତି କରାଇଛନ୍ତି। ଫିଲ୍ମ ‘ ଦି ଡାୟେରୀ ଅଫ ମଣିପୁର’ରେ ମୋନାଲିସା ଲିଡ ଭୂମିକାରେ ଅଭିନୟ କରିବେ। ଫିଲ୍ମ ସୁଟିଂ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ମଧ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ ସନୋଜ।

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ନିର୍ଦ୍ଦେଶକ ସନୋଜ ମିଶ୍ର ଆଜିକାଲି ତାଙ୍କ ଫିଲ୍ମ ‘ଦି ଡାୟେରୀ ଅଫ ମଣିପୁର’ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ମଣିପୁରର ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଆଧାରିତ। ଏହି ଫିଲ୍ମ ମାଧ୍ୟମରେ ବଲିଉଡ ଷ୍ଟାର ରାଜକୁମାର ରାଓଙ୍କ ବଡ଼ ଭାଇ ଅମିତ ରାଓ ମଧ୍ୟ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ସନୋଜ ମିଶ୍ର ଏପରି ଜଣେ ନିର୍ଦ୍ଦେଶକ ଜିଏ ସମାଜର ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଚଳଚିତ୍ର ନିର୍ମାଣ କରନ୍ତି। ତାଙ୍କ ଫିଲ୍ମ ‘କାଶୀ ଟୁ କାଶ୍ମୀର’ ଓ ‘ଦି ଡାୟେରୀ ଅଫ ୱେଷ୍ଟ ବେଙ୍ଗଲ’ ବେଶ୍ ଲୋକପ୍ରିୟତା ପାଇଥିଲା। ସନୋଜ ମିଶ୍ର ଫିଲ୍ମ ବ୍ୟାନରରେ ‘ଦି ଡାୟେରୀ ଅଫ ମଣିପୁର’ ନିର୍ମିତ ହେବ। ଏହି ଫିଲ୍ମର ଲେଖକ, ନିର୍ମାତା ଓ ନିର୍ଦ୍ଦେଶକ ନିଜେ ସନୋଜ ମିଶ୍ର ଅଛନ୍ତି।

Comments are closed.