ସମ୍ବଲପୁର/ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ।
ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଗିରିରାଜ ସିଂହ ସମ୍ବଲପୁରଠାରେ ଆୟୋଜିତ ଏକ ବିଶାଳ ଜନସାମବେଶରେ ସମ୍ଭୋଧିତ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ” ଦେଶରେ ଅରାଜକତାର ବାତାବରଣ ସୃଷ୍ଟି କରିବା ପାଇଁ ଅପପ୍ରୟାସ ଚଲାଇଛି । ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ‘ନେହରୁ- ଲିଆକତ’ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ଚୁକ୍ତି କରିଥିଲେ” ।
“କିନ୍ତୁ ପାକିସ୍ତାନ ତାହା ନକରି ସେଠାରେ ଥିବା ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଧର୍ମଉତ୍ପୀଡନ କରି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ଯଦି ଏହି ଚୁକ୍ତିକୁ ପାକିସ୍ତାନ ପାଳନ କରିଥାନ୍ତା, ତେବେ ଆଜି ଏହି ନିୟମ ଆଣିବାର କୌଣସି ଆବଶ୍ୟକତା ନଥିଲା ବୋଲି” ମନ୍ତ୍ରୀ କହିଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, “ନାଗରିକତା ସଂଶୋଧନ ଆଇନ କେବଳ ଶରଣାର୍ଥୀମାନଙ୍କୁ ନାଗରକିତା ଦେବା ପାଇଁ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହା ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି । କିନ୍ତୁ ବିରୋଧୀ ଦଳମାନେ ଏହା ବିରୁଦ୍ଧରେ କୁପ୍ରଚାର କରିଚାଲିଛନ୍ତି । ଏହି ଆଇନକୁ ସମସ୍ତେ ସମର୍ଥନ ଦେବା ଦରକାର ବୋଲି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ମଧ୍ୟ କହିଛନ୍ତି ।
ନାଗରକିତା ସଂଶୋଧନ ଆଇନ ବିରୁଦ୍ଧରେ ବିରୋଧୀଙ୍କ ଗୁଜବ ଏବଂ ମିଥ୍ୟା ପ୍ରଚାରରୁ ଦୂରରେ ରହି ସିଏଏକୁ ସମର୍ଥନ କରନ୍ତୁ ବୋଲି ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା କହିଛନ୍ତି ।
“ସରକାର ଦେଶ ହିତରେ ଅନେକ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ବିଭାଜନ ସମୟରେ ପାକିସ୍ତାନରେ ୨୩ ପ୍ରତିଶତ ଅଳ୍ପସଂଖ୍ୟକ ଥିଲେ ଏବେ ଏହା ୩ ପ୍ରତିଶତରେ ପହଂଚିଛି । ଏବେ ସେମାନଙ୍କୁ ନାଗରିକତା ପ୍ରଦାନ କରିବାର ସମୟ ଆସିଛି” ବୋଲି ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ସିଏଏ ସମର୍ଥନରେ ସମ୍ବଲପୁରର ବାଲିବନ୍ଧା, ଲକ୍ଷ୍ମୀ ଟକିଜ ଛକ, ଭୂତାପଡା ଛକରୁ ପୃଥକ ଭାବେ ୩ଟି ଶୋଭାଯାତ୍ରା ବାହରି ଗଙ୍ଗାଧର ମଣ୍ଡପ ଠାରେ ପହଂଚିଥିଲା । ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ସାଂସଦ ନିତେଶ ଗଙ୍ଗଦେବ, ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାଏକ, ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.