Latest Odisha News

BREAKING NEWS

‘ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ ଓ ଦକ୍ଷତାକୁ ବିକଶିତ କରୁଛି ସରଗିଫୁଲ୍‌’

ଭୁବନେଶ୍ବର:ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ସର୍‌ଗି ଫୁଲ୍‌ ମହୋତ୍ସବ ୨୦୨୫ । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଇ ମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି । ସେ କହିଛନ୍ତି, “ସରଗି ଫୁଲ୍‌’’ ପବିତ୍ରତାର ପ୍ରତୀକ । ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଅନ୍ବେଷଣର ସୁଯୋଗ ହେଉଛି ସରଗି ଫୁଲ୍‌ । ଏହି ଉତ୍ସବରେ ପିଲାମାନଙ୍କ ଅଂଶଗ୍ରହଣ ଏହାକୁ ଅଧିକ ପ୍ରାଣବନ୍ତ ଓ ଗରିମାମୟ କରିଛି ବୋଲି ସେ ମତପ୍ରକାଶ କରିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି, ବିଭାଗ ଅଧିନସ୍ଥ ବିଦ୍ୟାଳୟ ତଥା ଛାତ୍ରାବାସରେ ରହି ପାଠପଢୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ଓ ସେମାନଙ୍କ ଦକ୍ଷତାକୁ ବିକଶିତ କରିବା ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ । ଏଥିସହିତ ଏହି ସଫଳ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ କରିଥିବାରୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଭାଗୀୟ ପ୍ରୟାସ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଗଣ୍ଡ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ପାଇଁ ରାଜ୍ୟସରକାରଙ୍କ ପ୍ରୟାସରେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଏଥିସହ ଚାଇଲ୍ଡ ଟ୍ରାକିଂ ସର୍ଭେ ଓ ଆସ ସ୍କୁଲ ଯିବା ପ୍ରୟାସ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଅଣାଯାଉଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତଙ୍କ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ, ତିନିଦିନବ୍ୟାପୀ ଏହି କାର୍ଯ୍ୟକ୍ରମରେ ୧୧୬୦ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ୨୨ ଟି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟ ଅତିଥି । ଏଥିସହ ୫ ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ମଧ୍ୟ ସମ୍ମାନିତ କରାଯାଇଥିବା ବେଳେ ଏକଲବ୍ୟ ବିଦ୍ୟାଳୟର ସିବିଏସଇ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଏଥିସହ ବିଭାଗ ଅଧିନରେ ଥିବା ୫୦ ଟି ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ, ୧୦ ଟି ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.