Latest Odisha News

ପଦ ଛାଡ଼ିବାର ୩ ମାସ ପରେ କଂଗ୍ରେସ ଛାଡ଼ିଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର: ଅସନ୍ତୋଷ ବଖାଣି କଂଗ୍ରେସ ପଦରୁ ୩ ମାସ ତଳେ ଇସ୍ତଫା ଦେଇଥିଲେ ସତ୍ୟପ୍ରକାଶ ନାୟକ । ଆଜି ମଙ୍ଗଳବାର ହାତ ଛାଡ଼ିଛନ୍ତି ସତ୍ୟପ୍ରକାଶ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସତ୍ୟ ପ୍ରକାଶ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ସହ ସତ୍ୟପ୍ରକାଶ ଦଳର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଇସ୍ତଫା ପତ୍ରରେ ଲେଖିଛନ୍ତି, ପିସିସି ସଦସ୍ୟ ପଦରୁ ମୋ ନାଁ ପ୍ରତ୍ୟାହାର ମୋତେ ଆଘାତ ଦେଇଛି । ଏଭଂ ଯେଉଁଭଳି ନାଁକୁ ବାଦ୍ ଦିଆଗଲା ତାହା ଦଳର ସମ୍ବିଧାନ ବିରୋଧୀ । ଏନେଇ ମୁଁ ଆପଣ ଏବଂ ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ଜଣାଇଥିଲି । କିନ୍ତୁ କୌଣସି ସୁଫଳ ମିଳି ନଥିଲା । ଯାହାକି ବୟାନ କରିଥିଲା ଦଳ ପାଇଁ ମୋ ସେବାର ଆବଶ୍ୟକତା ନାହିଁ ।

ଏପରିକି ଶତର ଦେଇଥିବା ସ୍ଲୋଗାନ୍ ୨୦୨୪ରେ କଂଗ୍ରେସ ୯ରୁ ୯୦ ଉପରେ ସତ୍ୟ ପ୍ରକାଶ ପ୍ରଶ୍ନ ଉଠାଇଛନ୍ତି । ଲେଖିଛନ୍ତି, ଯେଉଁଠି ଦଳ ଆଦିବାସୀ, ଚାଷୀ, ଯୁବକ କାହା ସହ ନାହିଁ । ଲୋକଙ୍କ ମନରେ ଦଳର ଛବି ନାହିଁ । ସେଠି ୯ରୁ ୯୦ ନାରା କିଭଳି ସଫଳ ହେବ ?

ଏବେ କଂଗ୍ରେସ ଦଳ ପ୍ରତି ବରିଷ୍ଠ ନେତା ବିପଦ ପାଲଟିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ପିଢ଼ିକୁ ଆଗକୁ ଯିବାକୁ ଦେଉ ନାହାଁନ୍ତି । ରାଜ୍ୟର ବୁଦ୍ଧିଜୀବୀ କଂଗ୍ରେସ ସହ ଯୋଡ଼ି ହେବାକୁ ଚାହୁଁ ନାହାନ୍ତି । ଏସବୁ ଦୃଷ୍ଟିରୁ ମୁଁ ଦଳରୁ ଇସ୍ତଫା ଦେଉଛି ବୋଲି ଲେଖିଛନ୍ତି ସତ୍ୟ ପ୍ରକାଶ ନାୟକ । ୨୦୨୨ ଅକ୍ଟୋବର ୧୮ରେ ସତ୍ୟପ୍ରକାଶ କଂଗ୍ରେସ ମିଡିଆ ସେଲ୍ ଆବାହକ ପଦ ସହ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ।

Comments are closed.