Latest Odisha News

ଜାନୁଆରୀ ଶେଷ ସପ୍ତାହରେ ଉଦଘାଟନ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସମୀକ୍ଷା କଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ବର: ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସତ୍ୟବାଦୀ ଗସ୍ତ କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିସହ ଚାଲିଥିବା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଆସନ୍ତା ୧୫ ଜାନୁଆରୀ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅପରାହ୍ନ ୫ଟାରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପହଞ୍ଚି ନିର୍ମାଣାଧୀନ କୋଠା ପରିସରରେ ବୁଲି ଅନୁଧ୍ୟାନ କରିଥିଲେ । ବିଶ୍ୱବିଦ୍ୟାଳୟ କୋଠା ନିର୍ମାଣକୁ ଦେଖି 5T ଅଧ୍ୟକ୍ଷ ପ୍ରଶଂସା କରିଥିଲେ । ୮.୬ ଏକର ଜାଗାରେ ପ୍ରଥମ ପର୍ଯ୍ୟାୟ କାମ ଚାଲିଛି । ଏଥିରେ ୨୦୦ ପିଲାଙ୍କ ଅଧ୍ୟୟନ ପାଇଁ ବ୍ୟବସ୍ଥା ରହିଛି । ଗୋଟିଏ ଛାତ୍ର ଓ ଗୋଟିଏ ଛାତ୍ରୀ ହଷ୍ଟେଲ କାମ ଚାଲିଛି । ଏଥିରେ ୩୨ ଜଣ ଲେଖାଏଁ ପିଲା ରହିପାରିବେ । ଲାଇବ୍ରେରୀ, କାଫେଟେରିଆ, ଆଡମିନ୍ ବ୍ଲକ ମଧ୍ୟ ରହିଛି । କ୍ୟାମ୍ପସରେ ଚାଲିଥିବା ରାସ୍ତା କାମର ମଧ୍ୟ ସମୀକ୍ଷା କରିଛନ୍ତି ।

ଓଡ଼ିଆ ବିଶ୍ବବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ବପ୍ନର ପ୍ରୋଜେକ୍ଟ । ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଉଛି । ଆସନ୍ତା ଜାନୁଆରୀ ମାସ ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ଓଡ଼ିଆ ଭାଷାର ଗବେଷଣା ପାଇଁ ଏହି ବିଶ୍ବବିଦ୍ୟାଳୟ ଏକ ଉତ୍କୃଷ୍ଟ ସ୍ଥାନ ହେବ।

ଓବିସିସି(ଓଡ଼ିଶା ବ୍ରିଜ୍‌‌ ଆଣ୍ଡ କନଷ୍ଟ୍ରକସନ୍ସ) ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ ଓ ବରିଷ୍ଠ ମହାପ୍ରବନ୍ଧକ, ଉଚ୍ଚଶିକ୍ଷା ସଚିବ, ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି, ଜିଲ୍ଲାପାଳ, ଏସପି, ପୂର୍ତ୍ତସଚିବ, ସେତୁ ନିର୍ମାଣ ନିଗମ ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଅଧିକାରୀ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.