Latest Odisha News

BREAKING NEWS

ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ; ବିଳମ୍ୱ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ 

ନୂଆଦିଲ୍ଲୀ: ସଂସଦୀୟ ଏବଂ ବିଧାନସଭା ନିର୍ବାଚନରେ ମହିଳାଙ୍କ ସଂରକ୍ଷଣକୁ ନେଇ ସେପ୍ଟେମ୍ବର ୨୦୨୩ରେ ଏକ ସଂଶୋଧିତ ଆଇନ ସଂସଦ ଦ୍ଵାରା ଗୃହୀତ ହେବା ପରେ ଏକ ନୂତନ ଧାରା ୩୩୪ଏ ଏଥିରେ ଯୋଡା ଯାଇଥିଲା।

ଏହି ନୂତନ ଧାରା ଅନୁଯାୟୀ ନୂତନ ଜନଗଣନା ଓ ସିଟ୍ ସୀମା ନିର୍ଦ୍ଧାରଣ ସମାପ୍ତ ହେବା ପରେ ହିଁ ମହିଳାଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ ହେବ। ବର୍ତ୍ତମାନ୍ ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଏହି ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଏହି ନୂତନ ଧାରା ଦ୍ଵାରା ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିବାରେ ବିଳମ୍ବ ହେଉଥିବାରୁ ଏହାକୁ ଅସାମ୍ବିଧାନିକ ଘୋଷଣା କରାଯିବା ଉଚିତ୍ ବୋଲି ଦାବି କରାଯାଇଛି। ଯାହାକୁ ନେଇ ସୁପ୍ରିମକୋର୍ଟ ବର୍ତ୍ତମାନ୍ କେନ୍ଦ୍ର ସରକାରଙ୍କଠାରୁ ଏହାକୁ କାର୍ଯ୍ୟକାରୀ କରିବାର ଯୋଜନା ବିଷୟରେ ଉତ୍ତର ମାଗିଛନ୍ତି।

ତେବେ କଂଗ୍ରେସ ନେତା ଜୟା ଠାକୁରଙ୍କ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରି କୋର୍ଟ କହିଥିଲେ ଯେ ବର୍ତ୍ତମାନ୍ ସମୟରେ ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ମହିଳାମାନେ ଅଛନ୍ତି। ତେଣୁ ସେମାନେ ଭାରତର ସବୁଠାରୁ ବଡ଼ ସଂଖ୍ୟାଲଘୁ କିନ୍ତୁ ରାଜନୀତି କ୍ଷେତ୍ରରେ ସେମାନଙ୍କର ପ୍ରତିନିଧିତ୍ୱ ବହୁତ କମ୍ ରହିଛି।

ତେବେ ଏହି ଆଇନ କାର୍ଯ୍ୟକାରୀ ହେବ କି ନାହିଁ ତାହା ସରକାରଙ୍କ ଦାୟିତ୍ୱ ବୋଲି ଜଷ୍ଟିସ୍ ବି.ଭି. ନାଗାରଥନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

Comments are closed.