ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ରିଲିଜ ହୋଇଛି, ସେତେବେଳେ ପଶ୍ଚିମବଙ୍ଗ ସରକାର ନିଜେ କାହିଁକି ଏହାକୁ ବିରୋଧ କରୁଛନ୍ତି? କୋର୍ଟ ଏବେ ଏହି ମାମଲାରେ ସରକାରଙ୍କୁ ନୋଟିସ ଜାରି କରୁଥିବାବେଳେ ସୁପ୍ରିମକୋର୍ଟ ମେ ୧୭ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ରଖିଛନ୍ତି।
ଫିଲ୍ମର ନିର୍ମାତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ତାମିଲନାଡୁରେ ମଧ୍ୟ ଫିଲ୍ମ ସ୍କ୍ରିନ ହୋଇପାରିବ ନାହିଁ। ଏହା ଉପରେ କୋର୍ଟ ତାମିଲନାଡୁ ସରକାରଙ୍କୁ ମଧ୍ୟ ଜବାବ ଦେବାକୁ କହିଛନ୍ତି। ମେ ୫ ରେ ସାରା ଦେଶରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛି। କିନ୍ତୁ ପଶ୍ଚିମବଙ୍ଗ ସରକାର ଏହାକୁ ରାଜ୍ୟରେ ବ୍ୟାନ ବା ପ୍ରତିବନ୍ଧକ ଲଗାଇଛନ୍ତି। ଏହା ଶାନ୍ତି ଭଙ୍ଗ କରିପାରି ବୋଲି ଚିନ୍ତା କରି ପଶ୍ଚିମବଙ୍ଗ ସରକାର ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି।
ଫିଲ୍ମ ନିର୍ମାତା ଆବେଦନରେ କହିଛନ୍ତି ଯେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ୍ ବା ସିବିଏଫସିରୁ ସାର୍ଟିଫିକେଟ୍ ପାଇବା ପରେ କୌଣସି ରାଜ୍ୟ ଫିଲ୍ମର ପ୍ରଦର୍ଶନୀକୁ ବନ୍ଦ କରିପାରିବେ ନାହିଁ। ଏହି ଆବେଦନରେ ୨୦୧୧ ଏବଂ ୨୦୧୮ ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ‘ଆରକ୍ଷଣ’ ଏବଂ ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନ ଏବଂ ବ୍ୟବସ୍ଥାର ଅବନତି ଦର୍ଶାଇ କୌଣସି ରାଜ୍ୟ ଫିଲ୍ମ ରିଲିଜକୁ ବନ୍ଦ କରିପାରିବେ ନାହିଁ।
ବରିଷ୍ଠ ଓକିଲ ହରିଶ ସାଲଭେ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ପକ୍ଷରଖି କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ତୁରନ୍ତ ହଟାଇବା ଉଚିତ। ତାମିଲନାଡୁରେ ମଧ୍ୟ ହଲ ମାଲିକମାନେ ରାଜନୈତିକ ଚାପରେ ଫିଲ୍ମ ରିଲିଜ କରୁନାହାନ୍ତି। ସେଠାରେ ଥିବା ରାଜ୍ୟ ସରକାରଙ୍କୁ ଫିଲ୍ମ ରିଲିଜ କରିବାକୁ ନିର୍ଦ୍ଦେଶ ଦିଆଯିବା ଉଚିତ୍।
ତେବେ ଶୁଣାଣିକୁ ବିରୋଧ କରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ଯେ ଏହି ଆବେଦନ ପ୍ରଥମେ ହାଇକୋର୍ଟରେ ଦାଖଲ ହେବା ଉଚିତ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ସିଧାସଳଖ ଶୁଣାଣି ହେବା ଉଚିତ ନୁହେଁ।
ପରେ ସିଂହଭୀ କହିଛନ୍ତି ଯେ ଯଦି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଚାହାଁନ୍ତି, ତେବେ ସେ କହିବାକୁ ଚାହାଁନ୍ତି ଯେ ରାଜ୍ୟ ସରକାରଙ୍କୁ ଅନେକ ଗୁଇନ୍ଦା ରିପୋର୍ଟ ମିଳିଛି। ସେମାନଙ୍କ ମଧ୍ୟରେ ଫିଲ୍ମରୁ ଶାନ୍ତି ଏବଂ ଶୃଙ୍ଖଳା ଭଙ୍ଗ ହେବାର ସମ୍ଭାବନା ଥିଲାଯ। ଏହି କାରଣରୁ ଫିଲ୍ମର ରିଲିଜ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଜବାବରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ପି.ଏସ ନରସିଂହଙ୍କ ବେଞ୍ଚ କହିଛନ୍ତି, ଫିଲ୍ମଟି ଭଲ କି ଖରାପ, ଲୋକମାନେ ନିଷ୍ପତ୍ତି ନିଅନ୍ତୁ। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ଠିକ୍ ନୁହେଁ।
Comments are closed.