ନୂଆଦିଲ୍ଲୀ: ଟୁ ଫିଙ୍ଗର ଟେଷ୍ଟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏକ ମାମଲାର ଶୁଣାଣି କରି ସୁୁପ୍ରିମକୋର୍ଟ ଏପରି ଟେଷ୍ଟ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି କରୁଥାନ୍ତି ଏପରି ଟେଷ୍ଟ ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦୁଷ୍କର୍ମର ଶିକାର ପୂର୍ବରୁ ପୀଡ଼ିତା ଯୌନ ସଂପର୍କ ରଖିଛନ୍ତି କି ନାହିଁ ତାହା ଯାଞ୍ଚ କରିବା ଲାଗି ଏପରି ଏକ ପରୀକ୍ଷା କରାଯାଇଥାଏ। ଯାହାକୁ ଏବେ କୋର୍ଟ ବେଆଇନ୍ ବୋଲି କହିଛନ୍ତି। ଜଣେ ମହିଳା ଯେତେବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ସେତେବେଳେ ପୂର୍ବରୁ ତାଙ୍କର ଯୌନ ଇତିହାସ ବାବଦରେ ଜାଣିବାର କୈଣସି ଆବଶ୍ୟକତା ନାହିଁ। ତେଣୁ ଟୁ ଫିଙ୍ଗର ଟେଷ୍ଟକୁ ବେଆଇନ୍ ବୋଲି କୋର୍ଟ କହିଛନ୍ତି। ଦେଶର ଆଗାମୀ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନିର୍ଭୟା ଦୁଷ୍କର୍ମ ମାମଲା ପରେ ପୂର୍ବତନ ପ୍ରଧାନ ବିଚାରପତି ଜେଏସ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏପରି ଏକ ପରୀକ୍ଷା ଉପରେ ରୋକ୍ ଲଗାଇଥିଲେ। ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଜାତିସଂଘ ମାନବ ଅଧିକାର କମିସନ ଏପରି ପରୀକ୍ଷାକୁ ବେଆଇନ୍ ବୋଲି କହିଥିଲେ। କିନ୍ତୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏହି ପରୀକ୍ଷା ଚାଲିଥିବା ଜଣାପଡିଛି। 2012 ନିର୍ଭୟା ଦୁଷ୍କର୍ମ ମାମଲାର ବର୍ମା କମିଟି ସୁପାରିସ ଆଧାରରେ ଦେଶର ହସ୍ପିଟାଲ ପ୍ରତିଷ୍ଠାନକୁ ସରକାର ଦୁଷ୍କର୍ମ ଟେଷ୍ଟ କିଟ୍ ଯୋଗାଇ ଦେଇଛନ୍ତି।
Comments are closed.