Latest Odisha News

BREAKING NEWS

ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନର ହେବ ଶୁଣାଣି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ। କବିତାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ସର୍ବୋଚ୍ଚ ଅଦାଲତକୁ ଯାଇଥିଲେ । ଗତ ଜୁଲାଇ ୧ ତାରିଖରେ ଦିଲ୍ଲୀ ହାଇକୋର୍ଟ କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ।

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ହୋଇଥିବା ମାମଲାଗୁଡ଼ିକରେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ହାଇକୋର୍ଟ। ସିବିଆଇ ତାଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଇଡି ଅର୍ଥ ହେରଫେର ଅଭିଯୋଗର‌େ ଯାଞ୍ଚ କରୁଛି। ଅନ୍ୟପଟେ ଏହି ମାମଲାରେ କୋର୍ଟ କହିଥିଲେ ଯେ ୨୦୨୧-୨୨ରେ ଦିଲ୍ଲୀ ମଦନୀତି ମାମଲାରେ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ରରେ କବିତା ଅନ୍ଯତମ ଅଭିଯୁକ୍ତ ଥିଲେ।

କବିତାଙ୍କୁ ନିୟମିତ ଜାମିନ ପ୍ରଦାନ ସମ୍ଭବ ନୁହେଁ। କବିତା ଜଣେ ଉଚ୍ଚଶିକ୍ଷିତା ଓ ପୂର୍ବତନ ସାଂସଦ ହୋଇଥିଲେ ବି ତାଙ୍କୁ ଜଣେ ଦୁର୍ବଳ ମହିଳାଙ୍କ ସହ ତୁଳନା କରାଯାଇପାରିବ ନାହିଁ ଏବଂ ତାଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗକୁ ଏଡାଇ ଦିଆଯାଇପାରିବ ନାହିଁ। ତେବେ ହାଇକୋର୍ଟ କବିତାଙ୍କ ଜାମିନ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଆଜି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ. ଭି. ବିଶ୍ବନାଥ କବିତାଙ୍କ ପିଟିସନର ଶୁଣାଣି କରିବେ। ସୂଚନା ଥାଉକି ଗତ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପରେ ତାଙ୍କୁ ବର୍ତ୍ତମାନ ତିହାଡ ଜେଲରେ ରଖାଯାଇଛି।

Comments are closed.