ନୂଆଦିଲ୍ଲୀ: ଆର୍ଥିକ ଅନଗ୍ରସର କୋଟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଆର୍ଥିକ କ୍ଷେତ୍ରରେ ପଛୁଆ (ଇଡବ୍ଲ୍ୟୁଏସ) ତଥା ଗରିବ ଶ୍ରେଣୀର ଛାତ୍ରୀଛାତ୍ରୀଙ୍କ ପାଠ ପଢ଼ା ଏବଂ ନିଯୁକ୍ତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବାକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୀତି। ତେବେ କିଛି ଆଞ୍ଚଳିକ ଦଳ ଏବଂ ସାମାଜିକ ସଂଗଠନ ଏହାକୁ ଏବେ ବି ବିରୋଧ କରୁଛନ୍ତି । ଏପରିକି ବିଚାରପତିଙ୍କ ମଧ୍ୟରେ ରାୟକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ରହିଛି ।
ସୁପ୍ରିମକୋର୍ଟଙ୍କ ରାୟରେ ମଧ୍ୟ ବିଭକ୍ତ ରହିଛି । ମାନେ ହେଉଛି ପାଞ୍ଚଜଣ ବିଚାରପତିଙ୍କ ମଧ୍ୟରୁ ତିନିଜଣ ଅର୍ଥନୈତିକ କାରଣରୁ ସଂରକ୍ଷଣ ପ୍ରଦାନ ସପକ୍ଷରେ ଥିବାବେଳେ ଦୁଇଜଣ ଏହା ବିରୋଧରେ ନିଷ୍ପତ୍ତି ନେଇଛନ୍ତି। ଦୁଇ ବିଚାରପତି ଅର୍ଥନୈତିକ ଭିତ୍ତିରେ ସଂରକ୍ଷଣ ପ୍ରଦାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ବଡ଼ କଥା ହେଉଛି ସଂରକ୍ଷଣ ବ୍ୟବସ୍ଥାରେ ସହମତ ନଥିବା ବିଚାରପତିଙ୍କ ମଧ୍ୟରେ ଭାରତର ପ୍ରଧାନ ବିଚାରପତି ୟୁୟୁ ଲଲିତ ମଧ୍ୟ ଅଛନ୍ତି, ଅନ୍ୟ ବିଚାରପତି ହେଉଛନ୍ତି ରବିନ୍ଦ୍ର ଭଟ୍ଟ ଯିଏ ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକଙ୍କୁ 10 ପ୍ରତିଶତ ସଂରକ୍ଷଣ ଦେବା ସପକ୍ଷରେ ନାହାଁନ୍ତି।
ରାୟକୁ ନେଇ ବିଜେପି କହିଛି ଏହା ଗରିବକୁ ସାମାଜିକ ନ୍ୟାୟ ଦେବାରେ ମୋଦିଙ୍କ ମିଶନକୁ ସଫଳ କରିବ । ସେପଟେ କଂଗ୍ରେସ କହିଛି ଆମେ ମଧ୍ୟ ଏହାକୁ ସମର୍ଥନ କରୁଛୁ କଂଗ୍ରେସ ପ୍ରଥମେ ଏହି ନିଷ୍ପତ୍ତି ନେଇଥିଲା ବିଜେପି ଅନେକ ବିଳମ୍ଭ କରିଛି ।
ବରିଷ୍ଠ ନେତା ଜୟରାମ ରମେଶ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ 2005-2006 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏନେଇ ଏକ କମିଶନ ଗଠନ କରିଥିଲେ। 2010 ମସିହାରେ ଏହି କମିଶନ ଏହାର ରିପୋର୍ଟ ଦେଇଥିଲେ।
ଆୟୋଗର ରିପୋର୍ଟ ଉପରେ ବିଚାର କରିବା ପରେ 2014 ରେ ଏହି ବିଲ୍ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ମୋଦୀ ସରକାର ଏହି ବିଲ୍ ପାସ୍ କରିବାକୁ ପାଞ୍ଚ ବର୍ଷ ସମୟ ନେଇଛନ୍ତି।
ଆରମ୍ଭରୁ ଏହି ପ୍ରସଙ୍ଗ ବିବାଦୀୟ ହୋଇଆସୁଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ରାଜନୈତିକ ଦଳ ସ୍ୱାଗତ କରିଥିଲେ, କିନ୍ତୁ ତାମିଲନାଡୁର ଡିଏମକେ ଏବଂ ବିହାରର ରାଷ୍ଟ୍ରୀୟ ଜନତା ଦଳ ଏହାକୁ ବିରୋଧ କରିଥିଲେ।
ଆରଜେଡି, ଡିଏମକେ, ଓବେସୀଙ୍କ ମୁସଲିମ ଲିଗ୍ ସଂସଦରେ ଏହି ବିଲ୍କୁ ବିରୋଧ କରିଥିବାବେଳେ ଆମ୍ ଆଦମୀ ପାର୍ଟି, ସିପିଆଇ ଏବଂ ଏଆଇଏଡିଏମକେ ବିଲ୍ ଉପରେ ଭୋଟ୍ ଦେବା ସମୟରେ ଗୃହ ବାହାରକୁ ଯାଇ ବିରୋଧ କରିଥିଲେ।
ଏହି ରାୟକୁ ବିରୋଧ କରୁଥିବା ଲୋକମାନେ କହିଛନ୍ତି ଯେ ଅର୍ଥନୈତିକ ଅସମାନତା ସମାଧାନ ନୁହେଁ, ସଂରକ୍ଷଣର ଉଦ୍ଦେଶ୍ୟ ହେଉଛି ସାମାଜିକ ପଛୁଆ ଥିବା ଲୋକଙ୍କୁ ଉପରକୁ ଉଠାଇବା ।
ବିରୋଧୀଙ୍କ କହିବା କଥା ଏହି ଆଇନ ଦ୍ବାରା ସାମାଜିକ ପଛୁଆ ଲୋକଙ୍କ ସୁବିଧା ହ୍ରାସ ପାଇବ । କାରଣ ସଂରକ୍ଷଣର ସୀମା 50 ପ୍ରତିଶତରେ ସୀମିତ ରହିଲେ ଅନ୍ୟ ପଛୁଆ, ଦଳିତ ତଥା ଆଦିବାସୀ ସମ୍ପ୍ରଦାୟକୁ ଦିଆଯାଇଥିବା ସଂରକ୍ଷଣ ପ୍ରଭାବିତ ହେବ।
ଏବଂ ଯଦି ସଂରକ୍ଷଣ ସୀମା 50 ରୁ 60 ପ୍ରତିଶତକୁ ବୃଦ୍ଧି କରାଯାଏ, ତେବେ ଅଣସଂରକ୍ଷିତ ବର୍ଗ ପାଇଁ କେବଳ 40 ପ୍ରତିଶତ ଅଂଶ ବାକି ରହିବ । ଯାହା ବି ଗ୍ରହଣଯୋଗ୍ୟ ନୁହେଁ ।
ଇଡବ୍ଲ୍ୟୁଏସ ସଂରକ୍ଷଣ ପ୍ରଦାନ ନେଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା । ଏହାକୁ ନେଇ ଆବେଦନ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଦ୍ଵାରା ଗଠିତ ୫ ଜଣିଆ ଖଣ୍ଡପୀଠରେ ଏହିପରି ଶୁଣାଣି ଚାଲିଥିଲା। ଏବେ ଆର୍ଥିକ ଅନଗ୍ରସର ବର୍ଗଙ୍କ ଲାଗି ୧୦ ପ୍ରତିଶତର ସଂରକ୍ଷଣ ବଳବତ୍ତର ରହିବ ବୋଲି କୋର୍ଟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଯାହାର ଲାଭ ଛାତ୍ରଛାତ୍ରୀମାନେ ଚାକିରି ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାଇପାରିବେ ।
କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରିଥିଲେ। ଯାହାକୁ ନେଇ ରାଜନୀତି ଜୋର ଧରିଥିଲା । ଏଥିପାଇଁ ସମ୍ବିଧାନରେ ୧୦୩ ତମ ସଂଶୋଧନ କରିଥିଲେ କେନ୍ଦ୍ର ସରକାର। ଇଡବ୍ଲୁଏସ କୋଟାକୁ ତାମିଲନାଡୁର ଶାସକ ଦଳ ଡିଏମକେ ଓ 40ଟି ସାମାଜିକ ସଂଗଠନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ମାମଲାରେ ଶୁଣାଣି କରିବାକୁ ଆବେଦନ କରିଥିଲେ । କୋର୍ଟ ମଧ୍ୟ ମାମଲା ବିଚାରଯୋଗ୍ୟ କହିବା ସହ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ସଂବିଧାନରେ 49.5 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାର ଏହି ଆଇନ ଲାଗୁ କରି ଏହାର ସୀମା ଅର୍ଥନୈତିକ ଅନଗ୍ରସରଙ୍କ ପାଇଁ ଆଉ 10 ପ୍ରତିଶତ ଅଧିକ କରିଛନ୍ତି । ଯାହାକୁ ନେଇ ବାଦ ବିବାଦ ଲାଗି ରହିଛି ।
Comments are closed.