Latest Odisha News

BREAKING NEWS

ଘିବିଲି ଉଜାଡ଼ି ଦେବ ସଂସାର ! ସତର୍କ କରାଇଲା ପୋଲିସ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏବେ ଘିବିଲି ଆପ୍ ଏକ ବଡ଼ ଟ୍ରେଣ୍ଡ ହୋଇଛି। ସମସ୍ତେ ନିଜ ନିଜ ଫଟୋକୁ କାର୍ଟୁନରେ ବଦଳାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଏହି ଆପ୍ ଲୋକଙ୍କୁ ମଜା ଦେଉଥିବା ବେଳେ ଏହା ଏକ ବଡ଼ ବିପଦ ମଧ୍ୟ ସୃଷ୍ଟି କରିପାରେ ବୋଲି ସାଇବର ପୋଲିସ ଚେତାବନୀ ଦେଇଛି।

ଘିବିଲି ଆପ୍ ଜରିଆରେ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ଆଶଙ୍କା ରହିଛି। ଏହି ଆପ୍ ମୋବାଇଲରୁ ସମସ୍ତ ତଥ୍ୟ ସଂଗ୍ରହ କରି ସାଇବର ଠକଙ୍କ ହାତରେ ପହଞ୍ଚାଇପାରେ। ଏହା ଦ୍ୱାରା ଆପଣଙ୍କ ବ୍ୟାଙ୍କ ଖାତାର ତଥ୍ୟ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଫଟୋ ଓ ଡାଟା ଚୋରି ହୋଇପାରେ। ସାଇବର ଠକମାନେ ଏହି ତଥ୍ୟକୁ ବ୍ୟବହାର କରି ବ୍ଲାକମେଲିଂ କିମ୍ବା ଅର୍ଥ ହଡ଼ପ କରିବାର ଚେଷ୍ଟା କରିପାରନ୍ତି।

ଏହି ଆଶଙ୍କାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଅନୁସାରେ ସାଇବର ପୋଲିସ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି। ସାଇବର ଏକ୍ସପର୍ଟମାନେ କହିଛନ୍ତି ଯେ, ଏହି ଆପ୍ ବ୍ୟବହାର କରିବା ପୂର୍ବରୁ ଏହାର ସୁରକ୍ଷା ବିଷୟରେ ଭଲ ଭାବେ ଯାଞ୍ଚ କରିବା ଉଚିତ୍। ଅଜଣା ଆପ୍ ଡାଉନଲୋଡ୍ କରି ନିଜର ମୋବାଇଲକୁ ଅନୁମତି ଦେବା ଦ୍ୱାରା ଆପଣଙ୍କ ସମସ୍ତ ତଥ୍ୟ ବିପଦରେ ପଡ଼ିପାରେ।

ସାଇବର ପୋଲିସ ପରାମର୍ଶ ଦେଇଛି ଯେ, ଘିବିଲି ଭଳି ଆପ୍ ବ୍ୟବହାର କରିବା ସମୟରେ ସତର୍କ ରହିବା ଜରୁରୀ। ଯଦି ଆପଣ ଏହାକୁ ବ୍ୟବହାର କରୁଛନ୍ତି, ତେବେ ମୋବାଇଲରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ। ସଚେତନତା ହିଁ ଏହି ସାଇବର ବିପଦରୁ ବଞ୍ଚିବାର ଏକମାତ୍ର ଉପାୟ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ଏହି ଆପ୍ ସମ୍ପର୍କରେ ଆପଣଙ୍କୁ କିଛି ସନ୍ଦେହ ହେଲେ ନିକଟସ୍ଥ ସାଇବର ଥାନାରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.