କଟକ: ସ୍କୁଲ ଫି ହ୍ରାସ ମାମଲାରେ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏମଓୟୁକୁ ଗ୍ରହଣ କରିଛନ୍ତି । ଗତ ସେପ୍ଟେମ୍ବର ମାସ ୧୦ ତାରିଖରେ ରାଜ୍ୟ ସରକାରଙ୍କ ସହ ୧୪ଟି ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଂଘ ଏମଓୟୁ କରିଥିଲେ । କିନ୍ତୁ ଏହି ଏମଓୟୁରେ ଅରାଜି ଥିବା ସ୍କୁଲ କର୍ତ୍ତୃପକ୍ଷ ଆଇନଗତ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି ।
ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି. ଆର୍. ଷଡଙ୍ଗୀଙ୍କ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରିବା ସହ ସବୁ ଇଣ୍ଟରଭେନିଙ୍ଗ ମାମଲାରେ ପୂର୍ଣ୍ଣଛେଦ ପକାଇବା ସହ ଅନ୍ତରୀଣ ନିର୍ଦ୍ଦେଶନାମାକୁ ହଟାଇ ନେଇଛନ୍ତି । ୧୯୯୬ ସେପ୍ଟେମ୍ବର ୨୩ର ଏନଓସି ରିଜୋଲ୍ୟୁସନକୁ ମାନୁନଥିବା ସ୍କୁଲଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିଲା ଏମଓୟୁ ସ୍ୱାକ୍ଷର ।
କରୋନା ସମୟରେ ଘରୋଇ ବିଦ୍ୟାଳୟଗୁଡିକ ସ୍କୁଲ ଫି ଛାଡ଼ କରିବାକୁ ଓଡିଶା ଅଭିଭାବକ ମହାସଂଘ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ୨୦୨୦ ସେପ୍ଟେମ୍ବର ୧ତାରିଖରେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଆପୋସ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜାନୁଆରି ୭ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
Comments are closed.