କଟକ: ବାଙ୍କୀ ବ୍ଲକ ଅନ୍ତର୍ଗତ ଅନୁଆରୀ ପଞ୍ଚାୟତର ମଇଜରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳକୁ ଚୋରାରେ ବିକ୍ରି କରୁଥିଲେ ବିଦ୍ୟାଳୟର ପିଅନ । ଏହି ସମୟର ଗ୍ରାମବାସୀଙ୍କ ହାତରେ ସେ ଧରାପଡିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଖବରମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟାଳୟର ପିଅନ ବିଦ୍ୟାଧର ବେହେରା ଷ୍ଟୋର ରୁମ ଖୋଲି ୨ ବସ୍ତା ଚାଉଳ ବିକ୍ରି କରୁଥିଲେ । ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ଏବଂ ପିଅନଙ୍କୁ ଚାଉଳ ବିକ୍ରି କରୁଥିବା ଅବସ୍ଥାରେ ଧରିଥିଲେ । ଏହି ଘଟଣା ପରେ ଶନିବାର ସକାଳେ ଗ୍ରାମବାସୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ସ୍କୁଲ ଗେଟ ସମ୍ମୁଖରେ ଶିକ୍ଷକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଚୋରିରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ହେଉ ।
ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ପିଲାଙ୍କ ହକ୍ର ଚାଉଳକୁ ଏଭଳି ଭାବେ ବାହାରେ ବିକ୍ରି କରାଯିବା ଘଟଣା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି ।