Latest Odisha News

ଚନ୍ଦ୍ରପୃଷ୍ଠରେ ବିଶାଳ ଗୁମ୍ଫା 

ନୂଆଦିଲ୍ଲୀ: ପୃଥିବୀର ସୁନ୍ଦର ଉପଗ୍ରହ ଚନ୍ଦ୍ରକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏବେ ଚନ୍ଦ୍ରପୃୃଷ୍ଠରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଏକ ବିଶାଳ ଭୂମିଗତ ଗୁମ୍ଫା । ୫୫ ବର୍ଷ ପୂର୍ବେ ଚନ୍ଦ୍ରମାର ଯେଉଁ ସ୍ଥାନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ବଜ୍ ଆଲଡ୍ରିନ ଐତିହାସିକ ମୁନ୍ ୱାକ୍ କରିଥିଲେ, ସେହି ସ୍ଥାନଠୁ ଅଳ୍ପ କିଛି ଦୂରରେ ମିଳିଛି ଏକ ଭୂମିଗତ ଗୁମ୍ଫାର ସନ୍ଧାନ । ଇଟାଲୀ ନେତୃତ୍ୱାଧୀନ ଗବେଷକଙ୍କ ଟିମ୍ ଚନ୍ଦ୍ରମାରେ ଆବିଷ୍କାର କରିଛି ଗୁମ୍ଫା ।

ଇଟାଲୀର ଟ୍ରେଂଟୋ ବିଶ୍ୱବିଦ୍ୟାଲୟର ଲରେଜୋଁ ବ୍ରୁଜୋନ୍ ଓ ଲିଓନାର୍ଡ କୈରର୍ ନାସାର ଲୁନାର ରିକନେସାନ୍ସ ଅର୍ବିଟର ରାଡାର ଡାଟା ବିଶ୍ଳେଷଣ କରି ବିଶାଳ ଗୁମ୍ଫାର ଆବିଷ୍କାର କରିଥିଲେ । ଏହି ନୂଆ ଓ ରୋମାଂଚକର ଆବିଷ୍କାର ସଂପର୍କରେ ନେଚର୍ ଆଷ୍ଟ୍ରୋନୋମି ଜର୍ଣ୍ଣାଲରେ ଲେଖା ପ୍ରକାଶିତ ହୋଇଛି ।

ଇଟାଲୀ ବୈଜ୍ଞାନିକମାନେ ଚନ୍ଦ୍ରର ପଥୁରିଆ ଚଟାଣ ଭେଦ କରିବା ପରେ ସେମାନଙ୍କୁ ଏକ ବିଶାଳ ଗୁମ୍ଫାର ସନ୍ଧାନ ମିଳିଥିଲା । ଗୁମ୍ଫାର ଗଭୀରତା ପ୍ରାୟ ୧୦୦ ମିଟର ହେବ । ଗବେଷକଙ୍କ ମତରେ ଚନ୍ଦ୍ରମାରେ ଏଭଳି ଶତାଧିକ ଗୁମ୍ଫା ଥାଇପାରେ । ଚନ୍ଦ୍ରର ସବୁଠୁ ଗଭୀର ଗର୍ତ୍ତ ମେର୍ ଟ୍ରାଙ୍କ୍ୟୁଲିଟାଟିସ୍ ମଧ୍ୟରେ ରହିଛି ଆବିଷ୍କୃତ ଗୁମ୍ଫା । ଗୁମ୍ଫାର ଦୈର୍ଘ୍ୟ ଆନୁମାନିକ ୮୦ ମିଟର ଓ ପ୍ରସ୍ଥ ୪୫ ମିଟର ହେବ । ଗୁମ୍ଫା ମଧ୍ୟରେ ୧୪ଟି ଟେନିସ କୋର୍ଟ ରହିପାରିବ।

ଚନ୍ଦ୍ରମାରେ ବସବାସ କରିବା ପାଇଁ ବର୍ଷ ବର୍ଷ ଧରି ସ୍ୱପ୍ନ ଦେଖିଆସୁଛି ମଣିଷ । ଚନ୍ଦ୍ରରେ ବସବାସ ପାଇଁ ପରିବେଶ କିନ୍ତୁ ଅନୁକୂଳ ନୁହେଁ । ଚନ୍ଦ୍ରରେ ରେଡିଏସନର ମାତ୍ରା ଅଧିକ । ଆଉ ଜଳବାୟୁ ବି ମଣିଷକୁ ସୁହାଇଲା ଭଳି ନୁହେଁ । ଏ ନେଇ ଅଧିକ ଗବେଷଣା ଜାରି ରହିଥିବା ବେଳେ ବିଶାଳ ଗୁମ୍ଫାର ଆବିଷ୍କାର ମହାକାଶ ବିଜ୍ଞାନୀଙ୍କୁ ଉତ୍ସାହିତ କରିଛି । ଏହି ଗୁମ୍ଫା ଚନ୍ଦ୍ରପୃଷ୍ଠରେ ମହାକାଶ ବିଜ୍ଞାନୀଙ୍କ ପାଇଁ ସେଲଟର ହୋମ୍ ଭାବେ ବ୍ୟବହାର ହୋଇପାରିବ । ନାସା କହିଛି ଯେ, ଆବିଷ୍କୃତ ଗୁମ୍ଫାରେ ରହି ମହାକାଶ ଯାତ୍ରୀମାନେ କସ୍ମିକ ରେଡିଏସନ, ସୋଲାର ରେଡିଏସନ ଓ ଉଲକାପିଣ୍ଡରୁ ନିଜକୁ ସୁରକ୍ଷିତ ରଖିପାରିବେ ।

କୋଟି କୋଟି ବର୍ଷ ପୂର୍ବେ ଚନ୍ଦ୍ରରେ ଲାଭା ପ୍ରବାହିତ ହେଉଥିବା ସମୟରେ ଗୁମ୍ଫା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

 

Comments are closed.