ନୂଆଦିଲ୍ଲୀ: ଆପଣ ପଢ଼ିଲେ ହୁଏତ କୌଣସି ସାୟେନ୍ସ-ଫିକ୍ସନ ଚଳଚ୍ଚିତ୍ର ଭଳି ଲାଗୁଥାଏ ପାରେ, କିନ୍ତୁ ଏବେ ଏହା ବାସ୍ତବତାରେ ପରିଣତ ହେଉଛି। ବିଶ୍ୱର କିଛି ବୈଜ୍ଞାନିକ ଏପରି କମ୍ପ୍ୟୁଟର ତିଆରି କରିବା ଦିଗରେ କାମ କରୁଛନ୍ତି, ଯାହା ଜୀବନ୍ତ କୋଷ (Living Cells) ଦ୍ୱାରା ଚାଲିପାରିବ। ଏହାକୁ କୁହାଯାଉଛି ବାୟୋ କମ୍ପ୍ୟୁଟିଂ (Biocomputing) ର ଦୁନିଆ।
ବିବିସି ରିପୋର୍ଟ ଅନୁଯାୟୀ, ସ୍ୱିଜରଲ୍ୟାଣ୍ଡର କିଛି ବୈଜ୍ଞାନିକଙ୍କ ଏକ ଦଳ ଏହି ଅଭିନବ ପ୍ରଯୁକ୍ତି ଉପରେ ଦ୍ରୁତ ଗତିରେ କାମ କରୁଛନ୍ତି। ସେମାନଙ୍କର ସ୍ୱପ୍ନ ହେଉଛି ଆଗାମୀ ଦିନରେ ଏପରି ଡାଟା ସେଣ୍ଟର ତିଆରି ହେବ, ଯାହା ଜୀବନ୍ତ ସର୍ଭର (Living Servers) ଦ୍ୱାରା ଗଠିତ ହେବ ଏବଂ ଏଆଇ (AI) ଭଳି ଶିଖିବା କ୍ଷମତା ରଖିବ, କିନ୍ତୁ ବହୁତ କମ ଶକ୍ତିରେ କାର୍ଯ୍ୟ କରିବ। ଏହି ପ୍ରୋଜେକ୍ଟର ନେତୃତ୍ୱ ନେଉଛନ୍ତି ଡକ୍ଟର ଫ୍ରେଡ ଜୋର୍ଡନ, ଯିଏ ଫାଇନାଲସ୍ପାର୍କ ଲ୍ୟାବର ସହ-ସଂସ୍ଥାପକ। କୁହାଯାଉଛି ଏହି ପ୍ରଯୁକ୍ତି ଆଗାମୀ ସମୟରେ କମ୍ପ୍ୟୁଟିଂର ସଂଜ୍ଞାକୁ ବଦଳାଇ ଦେବ।
ଓ୍ୱେଟୱେୟାର କ’ଣ?
ଯେଉଁଠାରେ ପାରମ୍ପରିକ କମ୍ପ୍ୟୁଟର ହାର୍ଡୱେୟାର ଓ ସଫ୍ଟୱେୟାର ଉପରେ ଚାଲେ, ସେଠାରେ ଏହି ନୂଆ ପ୍ରଯୁକ୍ତି ଏକ ସମ୍ପୂର୍ଣ୍ଣ ଭିନ୍ନ ସିଦ୍ଧାନ୍ତ ଉପରେ କାର୍ଯ୍ୟ କରେ, ଯାହାକୁ ବୈଜ୍ଞାନିକମାନେ ନାମ ଦେଇଛନ୍ତି ଓ୍ୱେଟୱେୟାର। ଏହି ପ୍ରକ୍ରିୟାରେ ମାନବ ଚର୍ମରୁ ସଂଗୃହୀତ ଷ୍ଟେମ ସେଲରୁ ନ୍ୟୁରନ୍ସ (Neurons) ବିକଶିତ କରାଯାଏ, ଯାହାକୁ ପରେ ଅର୍ଗାନଏଡ଼ସ (Organoids) ରୂପେ ବଢ଼ାଯାଏ। ଏହି ଛୋଟ ଛୋଟ ନ୍ୟୁରନ କ୍ଲଷ୍ଟରଗୁଡ଼ିକୁ ଇଲେକ୍ଟ୍ରୋଡ଼ସ ସହ ଯୋଡ଼ାଯାଏ, ଯାହା ଦ୍ୱାରା ସେଗୁଡ଼ିକୁ ମିନି-କମ୍ପ୍ୟୁଟର ଭାବେ ବ୍ୟବହାର କରାଯାଇପାରିବ।
ଫାଇନାଲସ୍ପାର୍କର ସେଲୁଲାର ବାୟୋଲୋଜିଷ୍ଟ ଡକ୍ଟର ଫ୍ଲୋରା ବ୍ରୋଜୀ କୁହନ୍ତି ଯେ, ଏହି ଛୋଟ ଛୋଟ ଧଳା ଗୋଲାଗୁଡ଼ିକ ପ୍ରକୃତରେ ମିନି ମାନବ ମସ୍ତିଷ୍କ, ଯାହାକୁ ଷ୍ଟେମ ସେଲରୁ ବିକଶିତ କରାଯାଇଛି। ଏଗୁଡ଼ିକ ସମ୍ପୂର୍ଣ୍ଣ ଜୀବନ୍ତ, ଯଦିଓ ମାନବ ମସ୍ତିଷ୍କ ଭଳି ଜଟିଳ ନୁହେଁ। ଅନେକ ମାସର ପ୍ରକ୍ରିୟା ପରେ ଯେତେବେଳେ ଏହି ଅର୍ଗାନଏଡ଼ସଗୁଡ଼ିକ ପ୍ରସ୍ତୁତ ହୁଏ, ସେଗୁଡ଼ିକୁ ଇଲେକ୍ଟ୍ରୋଡ଼ସ ସହ ଯୋଡ଼ାଯାଇ ସାଧାରଣ କିବୋର୍ଡ କମାଣ୍ଡ ଜରିଆରେ ସେମାନଙ୍କର ପ୍ରତିକ୍ରିୟା ଯାଞ୍ଚ କରାଯାଏ। ଯେତେବେଳେ କୌଣସି କୀ ଦବାଯାଏ, ଇଲେକ୍ଟ୍ରୋଡ଼ସ ଜରିଆରେ ବିଦ୍ୟୁତ ସଂକେତ ପଠାଯାଏ ଏବଂ ଯଦି ପରୀକ୍ଷଣ ସଫଳ ହୁଏ, ତେବେ କମ୍ପ୍ୟୁଟର ସ୍କ୍ରିନରେ ମସ୍ତିଷ୍କ ତରଙ୍ଗ ଭଳି ଗତିବିଧି ଦେଖାଯାଏ।
ଡକ୍ଟର ଜୋର୍ଡନ କହିଛନ୍ତି ଯେ, ଏହି ପ୍ରଯୁକ୍ତି ଏବେ ଆରମ୍ଭ ପର୍ଯ୍ୟାୟରେ ରହିଛି। ଏହି ଅର୍ଗାନଏଡ଼ସଗୁଡ଼ିକୁ ବିଦ୍ୟୁତ ଉତ୍ତେଜନା (Electrical Stimulation) ଦେଇ ଏହା ବୁଝିବାକୁ ଚେଷ୍ଟା କରାଯାଉଛି ଯେ ସେଗୁଡ଼ିକ ଶିଖିବା କିମ୍ବା ପ୍ରତିକ୍ରିୟା ଦେବାର କ୍ଷମତା ବିକଶିତ କରିପାରନ୍ତି କି ନାହିଁ। ସେ ଆହୁରି କହିଛନ୍ତି ଯେ, “ଏଆଇ ଭଳି ଆମେ ଏହି ନ୍ୟୁରନଗୁଡ଼ିକୁ ଇନପୁଟ ଓ ଆଉଟପୁଟ ଦେବାର ଅଭ୍ୟାସ କରାଉଛୁ, ଯେମିତି ଏକ ବିଲେଇର ଫଟୋ ଦେଖାଇ ଏହା ବିଲେଇ କି ନୁହେଁ ତାହା ଚିହ୍ନଟ କରିବା।”
ସାଧାରଣ କମ୍ପ୍ୟୁଟରକୁ କେବଳ ବିଦ୍ୟୁତର ଆବଶ୍ୟକତା ହୁଏ, କିନ୍ତୁ ବାୟୋ-କମ୍ପ୍ୟୁଟରକୁ ଜୀବନ ବଜାୟ ରଖିବା ପାଇଁ ପୋଷଣ ଆବଶ୍ୟକ। ଇମ୍ପିରିଆଲ କଲେଜ ଲଣ୍ଡନର ପ୍ରଫେସର ସାଇମନ ଶୁଲଜ କହିଛନ୍ତି, “ମାନବ ମସ୍ତିଷ୍କରେ ରକ୍ତନଳୀ ଥାଏ, ଯାହା ପୋଷକ ତତ୍ତ୍ୱ ଯୋଗାଇ ଦିଏ, କିନ୍ତୁ ଅର୍ଗାନଏଡ଼ସରେ ଏଭଳି କୌଣସି ବ୍ୟବସ୍ଥା ନାହିଁ। ଏହା ହେଉଛି ସବୁଠାରୁ ବଡ଼ ବୈଜ୍ଞାନିକ ଚ୍ୟାଲେଞ୍ଜ।”
Comments are closed.