Latest Odisha News

BREAKING NEWS

ଏସସିଓ ସମ୍ମିଳନୀରେ ଆତଙ୍କବାଦ ନେଇ ବର୍ଷିଲେ ମୋଦି; ଉତ୍ତର ରଖି ପାରିଲେନି ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଆଜି ଆରମ୍ଭ ହୋଇଥିବାବେଳେ ଭର୍ଚ୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ । ସମ୍ମିଳନୀରେ ଭାରତ, ପାକିସ୍ତାନ, ଚୀନ, ରୁଷ ସମେତ ୮ଟି ଦେଶର ରାଷ୍ଟ୍ର ଅଧ୍ୟକ୍ଷ ଉପସ୍ଥିତ ଥିଲେ । ସମ୍ମିଳନରେ ସୀମାପାର ଆତଙ୍କବାଦୀ ପ୍ରସଙ୍ଗରେ ମୋଦି ପାକିସ୍ତାନକୁ କଡା ଭାଷାରେ ଭର୍ସନା କରିଛନ୍ତି ।

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଦୋମୁହାଁ ନୀତି ଦେଖାଉଛି । ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ କଡା ଭାଷାରେ କହିଥିଲେ ମୋଦି । ନାଁ ନ ନେଲେ ମଧ୍ୟ ମୋଦିଙ୍କ ଇସାରା ସିଧାସଳଖ ପାକିସ୍ତାନ ଉଦ୍ଦେଶ୍ୟରେ ଥିଲା । ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଉପରେ ଏପରି ବର୍ଷୁଥିବାବେଳେ ପାକ ରାଷ୍ଟ୍ରପତି ଶେହବାଜ ସରିଫ ସ୍ତବ୍ଧ ହୋଇ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆତଙ୍କବାଦ ଆଞ୍ଚଳିକ ଓ ବିଶ୍ୱର ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଛି। ଆମକୁ ଏକାଠି ହୋଇ ସବୁ ସ୍ତରରେ ଓ ସବୁ ଉପାୟରେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ପ୍ରଥମେ ଆତଙ୍କବାଦ ଓ ଆତଙ୍କବାଦୀ ସଂଗଠନକୁ ମିଳୁଥିବା ପାଣ୍ଠିକୁ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଦରକାର । ଏହି ସମସ୍ୟାର ସମାଧାନ ପାଇଁ ପରସ୍ପର ମଧ୍ୟରେ ଥିବା ସହଭାଗିତାକୁ ବୃଦ୍ଧି କରିବାକୁ ହେବ। ଆତଙ୍କବାଦ ବିରୋଧୀ ଲଢ଼େଇ ବେଳେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦିଙ୍କ ଆକ୍ରମଣାତ୍ମକ ଭାଷାର ଜବାବ ଦେଇ ପାରି ନ ଥିଲେ ପାକିସ୍ତାନ ରାଷ୍ଟ୍ରପତି ଶେହବାଜ ସରିଫ । ସେ ଭାରତୀୟ ମୁସଲମାନ ଏବଂ କାଶ୍ମୀରର ନାଁ ନେଇ ଅଳ୍ପସଂଖ୍ୟକ ଶବ୍ଦ ବ୍ୟବହାର କରି ନିଜ ବାରି ଶେଷ କରିଥିବା ଦେଖିବାକୁ ମିଳିଥିଲା । ଶେହବାଜ ସରିଫ କହିଥିଲେ, ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢିବା ପ୍ରତିବଦ୍ଧ ଅଟେ । ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇ ପାରିବ ନାହିଁ ।
ଶେହବାଜ ସରିଫ କହିଥିଲେ, ଆତଙ୍କବାଦର ସମସ୍ତ ରୂପକୁ କଡା ନିନ୍ଦା କରାଯିବା ଦରକାର । ଏପରିକି ରାଜ୍ୟ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବି ଏଥିରେ ସାମିଲ ଅଛି । ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଶେହବାଜ ସରିଫ କାଶ୍ମୀର ଏବଂ କାଶ୍ମୀରବାସୀଙ୍କ ନାଁ ନ ନେଇ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

Comments are closed.