ସେ ଅକୁହା କାହାଣୀସବୁକୁ ଲେଖିବ କିଏ?
କେଦାର ମିଶ୍ର
ସେ ମୁହଁଟି ମୋ ଆଖିରୁ ଯାଉନାହିଁ। ଯେତେଥର ଆଖି ବନ୍ଦ କରୁଛି ସେ ରକ୍ତାକ୍ତ ମୁହଁ ମୋତେ ବିଚଳିତ କରୁଛି। ସେ ସତସତିକା ମୁହଁକୁ ମୁଁ ପ୍ରତ୍ୟକ୍ଷ ଭାବରେ ଦେଖିନି। ଦେଖିଛି ଗୋଟେ ଫଟୋଗ୍ରାଫରେ। କଟକରୁ ଭୁବନେଶ୍ୱର ଫେରୁଥିବାବେଳେ ସେ ଫଟୋଗ୍ରାଫଟି ମୋତେ ଦେଖେଇଥିଲେ ପ୍ରିୟ ଅସିତ ଭାଇ (ପ୍ରଖ୍ୟାତ ଆଲୋଚକ ଓ ଅନୁବାଦକ ଅସିତ ମହାନ୍ତି)। ତାହାଥିଲା ଏଭେରେଷ୍ଟ ଶୃଙ୍ଗ ଆରୋହଣବେଳେ ମୃତ୍ୟୁ ବରଣ କରିବା ପୂର୍ବରୁ କଳ୍ପନା ଦାସଙ୍କ ଶେଷ ଫଟୋଗ୍ରାଫ। ଆମେ ପର୍ବତାରୋହୀମାନଙ୍କର ବହୁ ଫଟୋଗ୍ରାଫ ଦେଖିଛୁ। ହେଲେ କଳ୍ପନାଙ୍କ ଫଟୋ ଥିଲା ଅନେକାଂଶରେ ଡରେଇଦେଲା ପରି। ତୁଷାରଝଡର ମାଡ ଖାଇ ତାଙ୍କ ମୁହଁ ଖଣ୍ଡିଆ ଖାବରା ହୋଇ ପଡିଥିଲା। ବରଫର ସ୍ପର୍ଶରେ କ୍ଷତ ସବୁ ବେଶ ତାଜା ଓ ରକ୍ତ ବଡ ଗମ୍ଭୀର ଲାଗୁଥିଲା। ହେଲେ କଳ୍ପନାଙ୍କ ଆଖିରେ ଥିଲା ଅଦ୍ଭୁତ ଦମ୍ଭ। ସେ ରକ୍ତାକ୍ତ ମୁହଁ ଦେଖି ହୁଏତ ମୃତ୍ୟୁ ବି କିଛି ସମୟ ଅଟକି ଯାଇଥିବ। ତା ପରର କାହାଣୀ ବେଶ ମର୍ମନ୍ତୁଦ। ମଇ ୨୩ ତାରିଖରେ ସାରା ଦେଶ ଯେତେବେଳେ ନିର୍ବାଚନ ଫଳାଫଳ ଜାଣିବା ଲାଗି ଉତ୍କଣ୍ଠାର ସହିତ ଟେଲିଭିଜନକୁ ଦେଖୁଛି, ତାରି ଭିତରେ ଛୋଟିଆ ଖବରଟିଏ ଆସିଲା, ଏଭରେଷ୍ଟ ଆରୋହଣ ସମୟରେ କଳ୍ପନା ମୃତ୍ୟୁ ବରଣ କଲେ। ଗୋଟେ ଦୁଃସାହସୀ ଓ ବ୍ୟତିକ୍ରମୀ ଜୀବନର ଅବସାନ ଘଟିଲା।
ଆପଣମାନେ ଭାବୁଥିବେ, ୟେ ତ ଏକ ଖବର, ଏହା ସହିତ ସାହିତ୍ୟର ସମ୍ପର୍କ କଣ? କଳ୍ପନା ଦାସ ଆମ ସାହିତ୍ୟକୁ ଆସିପାରିଲେ କି? ଗୋଟେ ଅଦ୍ଭୁତ ଦୁଃସାହସର ଜୀବନ ବଞ୍ଚିଥିବା ଓ ପ୍ରତ୍ୟେକ ଅଗମ୍ୟ ଗିରିକୁ ଲଙ୍ଘନ କରିବାର ସାମର୍ଥ୍ୟ ରଖିଥିବା କଳ୍ପନାଙ୍କ କଥା ଆମେ ଲେଖିପାରିଲୁ ନାହିଁ କାହିଁକି? ଆମ ଭିତରୁ କେହି ସେ ଶୃଙ୍ଗ ଆରୋହଣ କରିପାରିବୁ ନାହିଁ। ହେଲେ ସେ ଶୃଙ୍ଗ ଆରୋହଣର ଅନୁଭବକୁ ଆମେ ସାଇତି ରଖିପାରିଥାନ୍ତୁ। ଯଦି କଳ୍ପନା ତାଙ୍କ ଆତ୍ମ ଜୀବନୀ ଲେଖିଥାନ୍ତେ, ହୁଏତ କଥାଟା ସହଜ ହୋଇଥାନ୍ତା। ହେଲେ ପର୍ବତର ଡାକ ଆଗରେ କଲମର ଡାକକୁ ସେ ଶୁଣନ୍ତେ କାହିଁକି? ଆମ ଭିତରୁ କେହି ସେ କାମଟି କରି ପାରିବା କି? କଳ୍ପନାଙ୍କ ଡାଏରୀ ଥିବ, ତାଙ୍କର କିଛି କିଛି ଲେଖା ଏଠି ସେଠି ବାହାରିଛି। ସେସବୁ ଆଧାରରେ ତାଙ୍କର ଗୋଟେ ଜୀବନୀ ଆମେ ଲେଖିପାରିବା କି?
ଏମିତି କାମସବୁ କରିବାରେ ଆମେମାନେ ଅଳସୁଆ ଓ ଅନେକ ସମୟରେ କାଙ୍ଗାଳ ମଧ୍ୟ। ଏମିତି ଗୋଟେ ବହି ଲେଖିବାକୁ ଆମର ଫେଲୋଶିପ ବା ପ୍ରୋତ୍ସାହନ ବ୍ୟବସ୍ଥା ନାହିଁ। ଆମର ବିଶ୍ଵବିଦ୍ୟାଳୟ ଗୁଡିକରେ ସାହିତ୍ୟ ଗବେଷଣା ନାଁରେ ଯାହା ଚାଲିଛି, ତାହା ଗାଈ ଖାଇବାର ଯୋଗ୍ୟ ବି ନୁହଁ। ମଜାର କଥା ହେଉଛି, କବିତା ଲେଖିବାକୁ ଆମର ବଡ ଲେଖକମାନେ ଫେଲୋଶିପ ପାଆନ୍ତି। ହେଲେ ଦୁଃସାହସିକ ଅଭିଯାନର ରଚନା ଓ ମୌଳିକ ଗବେଷଣା ଲାଗି ଆମର କିଛି ସମ୍ବଳ ନାହିଁ।
ଖାଲି କଳ୍ପନା ଦାସ ନୁହନ୍ତି, ଆମର ବହୁ ପ୍ରତିଭା ଅଛନ୍ତି, ଯେଉଁମାନେ ଜୀବନର ଅଦେଖା ଇଲାକାରେ ବୁଲିଛନ୍ତି। ସେମାନଙ୍କର ଜୀବନାନୁଭବ ବଡ ବିଚିତ୍ର। ସେ ବିଚିତ୍ର ଜୀବନର ବଖାଣ ଆମର ସମ୍ଭବ ହେଉନି। ସେସବୁ ଜୀବନରେ ମଣିଷର ବହୁ ଅଚିହ୍ନା ଅଭିପ୍ସା ରହିଛି। ତାକୁ ଜାଣିବା ଓ ଲେଖିବାର କାମଟି ସାହିତ୍ୟର। ହେଲେ ତାକୁ କରୁଛି କିଏ? ହୁଏତ ଗୋଟେ ସମୟରେ କୁଳବୃଦ୍ଧ ମଧୁସୂଦନଙ୍କ ଜୀବନକୁ ନେଇ ସୁରେନ୍ଦ୍ର ମହାନ୍ତି ଦୁଇ ଭାଗରେ ଗୋଟେ ବିରାଟ ଜୀବନୀ ଲେଖିଥିଲେ। ଗୋପବନ୍ଧୁ ଦାସ ଓ ଗୋପବନ୍ଧୁ ଚୌଧୁରୀଙ୍କୁ ନେଇ ଗୋପୀନାଥ ମହାନ୍ତିଙ୍କର ଦୁଇଟି ଚମତ୍କାର ଜୀବନୀ ଗ୍ରନ୍ଥ ରହିଛି। କିଛି ଚରିତ ଉପନ୍ୟାସ ବି ଅଛି। ଯେମିତି ବାଳକୃଷ୍ଣ ଦାଶଙ୍କ ଜୀବନକୁ ନେଇ ଅକ୍ଷୟ ମହାନ୍ତିଙ୍କ ଉପନ୍ୟାସ “ଗାୟକ” ଅବା ମଧୁ ବାବୁଙ୍କ ଜୀବନକୁ ନେଇ ଦାସ ବେନହୁରଙ୍କ “ପଗଡି ପୁରୁଷ” । ଏ ସଂଖ୍ୟା ଆଙ୍ଗୁଠିରେ ଗଣି ଦେଇହେବା।ହେଲେ ଜୀବନକୁ ଭିନ୍ନ ଭିନ୍ନ ବାଗରେ ବଞ୍ଚିଥିବା ଆମର ନାୟକ ଓ ନାୟିକାଙ୍କ କଥା ଆମ ସାହିତ୍ୟରେ କାହିଁ?
ଆମେ କଣ ଜାଣିଛୁ ପ୍ରଥମ ସିନେମା ତିଆରି କରିଥିବା ବୈଷ୍ଣବ ଗୋସେଇଁ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ସଂଘର୍ଷ କେମିତି ଥିଲା? ପୋଲାଙ୍ଗ ତେଲର ଦୀପ ଜାଳି ଗାଁ ଦାଣ୍ଡରେ ରାସ ଦେଖାଉଥିବା ଲୋକଟି ସିନେମା କରିବାର ସାହସ କଲେ କେମିତି? ଆମେ କଣ ଜାଣିଛୁ ବାଣୀକଣ୍ଠ ନିମାଇଁ ହରିଚନ୍ଦନ ଗ୍ରାମୋଫୋନ କୁ ଦେଖି ପ୍ରଥମେ କେମିତି ଡରି ଯାଇଥିଲେ? ଓଡିଶୀ ନୃତ୍ୟାଙ୍ଗନା ସଞ୍ଜୁକ୍ତା ପାଣିଗ୍ରାହୀ ଯେତେବେଳେ ନୋବେଲ ବିଜେତା ନାଟ୍ୟକାର ଦାରିଓ ଫୋଙ୍କ ନାଟକରେ କାମ କରୁଛନ୍ତି, ତାଙ୍କର ଅନୁଭବ କଣ ଥିଲା? ଆମେ କଣ ଜାଣିଛୁ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ମୀନତି ମିଶ୍ର ଘୋଡା ଚଢି ମାଇଲ ମାଇଲ ବୁଲି ପାରନ୍ତି?
ବହୁ କାହାଣୀ ଆମର ଅକୁହା ଓ ଅଦେଖା ହୋଇ ରହିଯାଉଛି। ତାକୁ ଆମେ କଣ ସତରେ ଲେଖି ପାରିବା ନାହିଁ?
Comments are closed.