Latest Odisha News

BREAKING NEWS

କାରରେ ପଛ ସିଟ୍ ବେଲ୍ଟ ବାନ୍ଧିବା ନେଇ କ’ଣ ରହିଛି ନିୟମ ଜାଣନ୍ତୁ

ମୁମ୍ବାଇ: ରବିବାର ଏକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ପରେ ଏବେ କାରରେ ପଛ ସିଟ୍ ବେଲ୍ଟ ପିନ୍ଧିବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା । ଏହି ଭୟଙ୍କର ଦୁର୍ଘଟଣା ଘଟିବାର କାରଣ ହେଉଛି ସିଟ ବେଲ୍ଟ ନପିନ୍ଧିବା । ଦ୍ରୁତ ଗତିରେ ଚାଲୁଥିବା କାରଟି ଡିଭାଇଡରରେ ପିଟିହେବା ଫଳରେ ପଛରେ ବସିଥିବା ଯାତ୍ରୀ ସାମନା ପଟେ ଛିଟିକି ହୋଇ ପଡିଥିଲେ । ଏଠାରେ ସିଟ ବେଲ୍ଟ ବ୍ୟବହାର କରିଥିଲେ ହୁଏତ ଏହି ଆକସ୍ମିକ ଦୁର୍ଘଟଣାରୁ ବର୍ତ୍ତି ଯାଇ ପାରିଥାନ୍ତେ । ଭାରତରେ କାରରେ ଫ୍ରଣ୍ଟ ପାସେଞ୍ଜରଙ୍କ ପାଇଁ ସିଟ୍ ବେଲ୍ଚ ବାନ୍ଧିବାର ନିୟମ ତ ରହିଛି କିନ୍ତୁ ପଛ ସିଟରେ ବସୁଥିବା ଯାତ୍ରୀ ବିନା ବେଲ୍ଟରେ ଯାତ୍ରା କରୁଛନ୍ତି । ଫଳରେ ପଛରେ ବସିଥିବା ଯାତ୍ରୀଙ୍କର ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟୁଛି ।

ସିଟ୍ ବେଲ୍ଟ ସହ ଜଡିତ ସମସ୍ତ ନିୟମ…

ଏଣିକି ପଛରେ ବସିଥିବା ଯାତ୍ରୀ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବେ । ଆଉ ଯଦି ଏହି ନିୟମ ପାଳନ ନକରନ୍ତି ତେବେ ଜରିମାନା ଗଣିବାକୁ ପଡିବ । ଆସନ୍ତା ୩ ଦିନ ମଧ୍ୟରେ ଏନେଇ ଏକ ନୋଟିସ ଜାରି କରାଯିବ । ଯେଉଁଥିରେ ଜରିମାନା ବାବଦରେ ପୂରା ସୂଚନା ଦିଆଯିବ । କେନ୍ଦ୍ର ପରିବହନ ମନ୍ତ୍ରୀ ଟ୍ୱିଟ୍ କରି ଏହି ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି। ପୁରୁଣା ନିୟମରେ କିଛି ପରିବର୍ତ୍ତନ ଆଣି ନୂଆ ନିୟମ ବାବଦରେ ଘୋଷଣା କରିବେ କେନ୍ଦ୍ର ସରକାର।

ଭାରତରେ ଗାଡି ଚାଳକ ଏବଂ ଆଗରେ ବସିଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆପଣ ଜାଣିଥିବେ । କିନ୍ତୁ ଏହା ସତ ଯେ, ଭାରତରେ ଅଧିକାଂଶ ଲୋକ ପଛ ସିଟରେ ବସିଲେ ସିଟ୍ ବେଲ୍ଟ ଦେଇନଥାନ୍ତି । ମାତ୍ର ଭାରତୀୟ ମୋଟରଯାନ ଆଇନ ଅନୁଯାୟୀ ଯେଉଁମାନେ ପଛ ସିଟରେ ବସି ବେଲ୍ଟ ବାନ୍ଧିନଥାନ୍ତି ସେମାନଙ୍କ ପ୍ରତି 1000 ଟଙ୍କା ଜୋରିମାନା ଲାଗୁ କରିବାର ବ୍ୟବସ୍ଥା ରହିଛି। ଏହା ଏକ ଭିନ୍ନ କଥା ଯେ ମୋଟର ଯାନ ଅଧିନିୟମର ନିୟମ 138 (III)ଅନୁଯାୟୀ ଲୋକେ ଏହି ବ୍ୟବସ୍ଥା ବିଷୟରେ ଅବଗତ ନୁହଁନ୍ତି କିମ୍ବା ସେମାନେ ଏହାକୁ ଅଣଦେଖା କରନ୍ତି । ଏପରିକି ଏହି ବ୍ୟବସ୍ଥାକୁ ଉଲ୍ଲଂଘନ କଲେ ଟ୍ରାଫିକ୍ ପୋଲିସ କ୍ୱଚିତ୍ ଲୋକଙ୍କଠାରୁ ଜରିମାନା ଆଦାୟ କରିଥାଏ।

ଏୟାର ବ୍ୟାଗ ପାଇଁ ଜରୁରୀ ସିଟ୍ ବେଲ୍ଟ…

ବଡ ଧରଣର ଦୁର୍ଘଟଣା ହେଲେ ଗାଡିର ଏୟାର ବ୍ୟାଗ୍ କାରଣରୁ ଆପଣଙ୍କ ଜୀବନ ବଞ୍ଚିଯାଇପାରିବ । ହେଲେ ଏଥିଲାଗି ଆପଣ ସିଟ୍ ବେଲ୍ଟ ବ୍ୟବହାର କରିବା ଆବଶ୍ୟକ । ଆପଣଙ୍କ ଗାଡିରେ ଯେତେ ସଂଖ୍ୟାକ ଏୟାର ବ୍ୟାଗ ଥାଉ ନା କାହିଁକି, ଯଦି ଆପଣ ସିଟ୍ ବେଲ୍ଟ ନପିନ୍ଧନ୍ତି ତେବେ ଦୁର୍ଘଟଣା ସମୟରେ ଏୟାର ବ୍ୟାଗ ଖୋଲିବ ନାହିଁ । ଆପଣ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଣାର ଶିକାର ହେବେ ।

Leave A Reply

Your email address will not be published.