Latest Odisha News

BREAKING NEWS

ଖୋର୍ଦ୍ଧାରେ ଖୋଲିଲା ଦେଶର ଦ୍ବିତୀୟ ଗାଡି ସ୍କ୍ରାପିଂ ୟୁନିଟ୍

ଖୋର୍ଦ୍ଧା: କୁମାରବସ୍ତା ଠାରେ ଓଡ଼ିଶାର ପ୍ରଥମ ଓ ଦେଶର ଦ୍ୱିତୀୟ ପଞ୍ଜିକୃତ ଯାନ ସ୍କ୍ରାପିଂ ସୁବିଧା ସେବା ଆରମ୍ଭ ହୋଇଛି। ସ୍କ୍ରାପିଂ ସୁବିଧା ଟାଟା ମୋଟର୍ସ ଏବଂ ଏମ୍ପ୍ରିଓ ପ୍ରିମିୟମର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି। ୧୫ ବର୍ଷରୁ ଅଧିକ ବର୍ଷର ଗାଡ଼ି ଓ ଫିଟନେସ୍ ସାର୍ଟିଫିକେଟ୍ ନଥିବା ଗାଡ଼ିଗୁଡ଼ିକୁ ଗାଇଡ୍ ଲାଇନ୍ ଅନୁଯାୟୀ ଏଠାରେ ସ୍କ୍ରାପ୍ କରାଯିବ।

ସରକାରୀ ରିପୋର୍ଟ ଅନୁଯାୟୀ, ଏହି ୟୁନିଟରେ ପ୍ରତିବର୍ଷ ୧୦ରୁ ୧୨ ହଜାର ଗାଡ଼ି ଏବଂ ମାସକୁ ୧ ହଜାର ଗାଡ଼ି ପରିଚାଳନା ଓ ସ୍କ୍ରାପ୍ କରାଯାଇପାରିବ। ଏଠାରେ ପ୍ରତିଦିନ ପ୍ରାୟ ୪୦ଟି ଗାଡ଼ି ସ୍କ୍ରାପିଂ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପୂର୍ବ ଘୋଷଣା ଅନୁଯାୟୀ ପୁରୁଣା ସରକାରୀ ଗାଡ଼ିକୁ ସ୍କ୍ରାପ୍ କରିବା ପ୍ରକ୍ରିୟା ହାତକୁ ନିଆଯିବା ପରେ ଏବେ ଘରୋଇ ଗାଡ଼ିକୁ ସ୍କ୍ରାପ୍ କରିବା ପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି।

ଓଡ଼ିଶା ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଆମେ ଲୋକମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଆଗକୁ ଆସନ୍ତୁ ଏବଂ ସ୍କ୍ରାପିଂ ସୁବିଧାର ଲାଭ ଉଠାନ୍ତୁ। ଡିଲର ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ସେମାନଙ୍କୁ ଭଲ ଲାଭ ମିଳିବ। ଆମେ ପ୍ରଥମ ପର୍ଯ୍ୟାୟରେ ସରକାରୀ ଗାଡ଼ିକୁ ନେଇଛୁ। ସ୍କ୍ରାପିଂ ସେଣ୍ଟର ଉଦଘାଟିତ ହୋଇଛି ଏବଂ ଆଗାମୀ ଦିନରେ ନୂଆ ସେଣ୍ଟର ଖୋଲାଯିବ।

ଏହା ଓଡ଼ିଶାର ପ୍ରଥମ ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ୟୁନିଟ୍। ଏହା ପୁରୁଣା ଯାନକୁ ପରିଚାଳନା କରିବା ଏବଂ ଏକ ପ୍ରକ୍ରିୟା ସ୍ଥାପନ କରିବା ଦିଗରେ ପ୍ରଥମ ପଦକ୍ଷେପ ଯାହା ନିଷ୍କାସନ ପାଇଁ ଓ୍ୱାର୍ଲଡ ଷ୍ଟାଣ୍ଡାର୍ଡର। ପ୍ରଥମେ ଇଞ୍ଜିନ ତେଲ, ଇନ୍ଧନ ସହିତ ରବର, କାଚ ଓ ଅନ୍ୟାନ୍ୟ ସାମଗ୍ରୀକୁ ଅଲଗା କରାୟିବ। ଗିୟର ପାର୍ଟସ ସମେତ ଅଧିକାଂଶ ସାମଗ୍ରୀକୁ ରିସାଇକେଲ୍ କରାଯିବ। ଏହା ଏକ ବଡ଼ ପଦକ୍ଷେପ, କାରଣ ରବର ଭଳି କିଛି ଯନ୍ତ୍ରାଂଶ ଏବଂ ଆଲୁମିନିୟମ ଓ ନିକେଲ ଭଳି ଉଚ୍ଚ ମୂଲ୍ୟର ସାମଗ୍ରୀକୁ ପୁଣି ଥରେ ବ୍ୟବହାର କରାଯିବ ବୋଲି ଟାଟା ମୋଟର୍ସର ବ୍ୟବସାୟ ମୁଖ୍ୟ ରାଜେଶ କାଉଲ କହିଛନ୍ତି।

ଏମ୍ପ୍ରିଓ ପ୍ରିମିୟମର ଅଧ୍ୟକ୍ଷ ଗଙ୍ଗାଧର ସାମଲ କହିଛନ୍ତି, ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଏଠାରେ ସରକାରୀ ଗାଡ଼ିକୁ ସ୍କ୍ରାପ୍ କରାଯିବ। ପ୍ରାଇଭେଟ୍ ପାଇଁ ଗାଡ଼ିଗୁଡ଼ିକ ସେମାନେ ଆଣିବେ ନା ଆମେ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଆସିନାହିଁ। କେନ୍ଦ୍ର ମଧ୍ୟ ଗ୍ରାହକମାନଙ୍କୁ ସୁବିଧା ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି ଏବଂ ବିଭିନ୍ନ କମ୍ପାନୀ ସହିତ କଥାବାର୍ତ୍ତା ଚାଲିଛି।

ଏମ୍ପ୍ରିଓ ପ୍ରିମିୟମର ସିଇଓ ମହମ୍ମଦ ଆଝାର କହିଛନ୍ତି ଯେ ଘରୋଇ ବ୍ୟକ୍ତିବିଶେଷ ମନ୍ତ୍ରଣାଳୟର ସରକାରୀ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଏହାପରେ ସେମାନଙ୍କୁ ନିଜ ନିକଟସ୍ଥ ଆରଭିଏସଏଫ ସେଣ୍ଟରରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ଗ୍ରାହକଙ୍କୁ ଗାଡିର ଫଟୋ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଭଳି ଡିଟେଲ୍ସ ଅପଲୋଡ କରିବାକୁ ପଡିବ।

ଆରଭିଏସ୍ଏଫ୍ କେନ୍ଦ୍ରରେ ତଥ୍ୟ ମିଳିବା ପରେ ଜଣେ ଅଧିକାରୀ ଯାଞ୍ଚ କରି ଗାଡ଼ିର ମୂଲ୍ୟ ଉଲ୍ଲେଖ କରିବେ। ଗ୍ରାହକ ଉକ୍ତ ଦରକୁ ଗ୍ରହଣ କରିବା ପରେ ହଁ କଲେ ତାଙ୍କୁ ପେମେଣ୍ଟ ସହ ଏକ ସାର୍ଟିଫିକେଟ ଅଫ ଡିପୋଜିଟ୍ ପ୍ରଦାନ କରାଯିବ, ଯାହା ଦୁଇ ବର୍ଷ ଯାଏଁ ବୈଧ ରହିବ।
ଯେତେବେଳେ ଗ୍ରାହକ ନୂଆ ଗାଡ଼ି କିଣିବେ, ସେ ଜମାରାଶିର ପ୍ରମାଣପତ୍ର ଦେଖାଇ ବେସ୍ ପ୍ରାଇସର ୫% ଲାଭ ପାଇବେ ଏବଂ କାର୍ ସେଗମେଣ୍ଟ ପାଇଁ ପଞ୍ଜୀକରଣ ଶୁଳ୍କ ଶୂନ ଏବଂ ଦୁଇ ଚକିଆ ଗାଡ଼ି ପାଇଁ ୨୫% ଟିକସ ଛାଡ଼ କରାଯିବ ବୋଲି ଆଝାର ସୂଚନା ଦେଇଛନ୍ତି।

ଯଦି କୌଣସି ବ୍ୟକ୍ତି ନୂଆ ଗାଡ଼ି କିଣନ୍ତି ନାହିଁ, ତେବେ ସେମାନେ ସରକାରୀ ପୋର୍ଟାଲ ଜରିଆରେ ଆବେଦନ କରି ଜମା ପ୍ରମାଣପତ୍ର ବିକ୍ରି କରିପାରିବେ। ଯଦି ଏହାର ମୂଲ୍ୟ ୫୦ହଜାର ହେବ ତେବେ ଜମା ପ୍ରମାଣପତ୍ର ଅନ୍ୟ ଜଣେ କ୍ରେତାଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

Comments are closed.