Latest Odisha News

କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ କଂଗ୍ରେସ କରିଛି ସିକ୍ରେଟ୍ ଭୋଟିଂ: ହରିପ୍ରସାଦ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୨୪ ଆସନରୁ ୧୩୫ ଆସନରେ ବିଜୟୀ ହେବା ପରେ କଂଗ୍ରେସ ଦଳ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କ୍ଷେତ୍ରରେ ଏକ ଅଡୁଆ ବା କନ୍ଦଳକୁ ସମ୍ମୁଖୀନ ହେଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ନିଯୁକ୍ତ ତିନି ଜଣ ପର୍ଯ୍ୟବେକ୍ଷକ ତାଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପାଇଁ ଦିଲ୍ଲୀ ଫେରିଯାଇଛନ୍ତି। ଏବଂ ଦଳର ନେତା ବି. କେ. ହରିପ୍ରସାଦ କହିଛନ୍ତି, ଗତକାଲି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଏକ ଗୁପ୍ତ ଭୋଟିଂ କରାଯାଇଥିଲା।

ହରିପ୍ରସାଦ କହିଛନ୍ତି ଯେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା ଯେଉଁଥିରେ ଖଡଗେଙ୍କୁ ସିଏଲପି ନେତାଙ୍କ ଉପରେ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇଥିଲା। ଏବଂ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଶେଷ କରିବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରାଯାଇଥିଲା। ପର୍ଯ୍ଯବେକ୍ଷକମାନେ ନବନିର୍ବାଚିତ ବିଧାୟକଙ୍କୁ ଭେଟି ସେମାନଙ୍କ ମତାମତ ବୁଝିଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ସିନ୍ଦେ, ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ଏବଂ ଦୀପକ ବାବାରିଆଙ୍କୁ କର୍ଣ୍ଣାଟକ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। କର୍ଣ୍ଣାଟକ ପାଇଁ କଂଗ୍ରେସ ପ୍ରଭାରୀ ରଣଦୀପ ସିଂହ ସୁରଜେଓ୍ୱାଲା ଏବଂ ଦଳର ସାଧାରଣ ସମ୍ପାଦକ (ସଙ୍ଗଠନ) କେ. ସି. ବେଣୁଗୋପାଳ ମଧ୍ୟ ଦଳ ଦଳର ଶୀର୍ଷ ନେତାଙ୍କୁ ଭେଟିବା ବେଙ୍ଗାଲୁରୁରୁ ଦିଲ୍ଲୀ ଫେରୁଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ପ୍ରଦେଶ କଂଗ୍ରେସ ସଭାପତି ଡି. କେ. ଶିବକୁମାର ଉଭୟ କର୍ଣ୍ଣାଟକର ଶୀର୍ଷ ପଦବୀ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏବଂ ଦଳ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେମାନଙ୍କୁ ନେଇ ଚିନ୍ତା କରୁଛି। ଏପରିକି ରାଜ୍ୟରେ ବିରୋଧୀ ଦଳ ନେତା ଥିବା ସିଦ୍ଧରମୈୟା ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବାକୁ ଯାଉଛନ୍ତି।

କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହି ନିଷ୍ପତ୍ତି କଂଗ୍ରେସ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। କାରଣ ଦକ୍ଷିଣ ଭାରତରେ ଏହି ରାଜ୍ୟ କଂଗ୍ରେସ ପାଇଁ ଏକ ପ୍ରମୁଖ ଗଡ଼। ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଏହି ଚୟନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଏବଂ ଖୁବଶୀଘ୍ର ଦଳ ନିଷ୍ପତି ନେବ ବୋଲି ଆଶା କରାଯାଉଛି।

Comments are closed.