Latest Odisha News

‘ସଚିବ ବଡ଼ ନା ମନ୍ତ୍ରୀ ବଡ଼’ ! ଟୁକୁନି ସାହୁଙ୍କୁ ମୁହଁତୋଡ଼ ଜବାବ ଦେଲେ କୁସୁମ ଟେଟେ

ଭୁବନେଶ୍ୱର: କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବର୍ଷିବା ପରେ ସୋସିଆଲ ମିଡିଆ ଏକ୍ସରେ ବିରୋଧୀ ଦଳ ଓ ଶାସକ ଦଳ ମଧ୍ୟ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ। ମନ୍ତ୍ରୀ ଟୁକୁନି ସାହୁଙ୍କ ପୋଷ୍ଟରେ ମୁହଁତୋଡ଼ ଜବାବ ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ। ସେ କହିଛନ୍ତି, ଜଣେ ଓଡ଼ିଆ ଭାବରେ ରାଜ୍ୟରେ ଯେଉଁଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବ୍ୟଥିତ କରୁନାହିଁ କି?

କୁସୁମ ଟେଟେ କହିଛନ୍ତି, “ସଚିବ ବଡ଼ ନା ମନ୍ତ୍ରୀ ବଡ଼”! ଓଡ଼ିଶାର ଜନମାନସରେ ଅନେକ ଦିନ ଧରି ଏହି କଥାଟି ଉଦ୍‌ବେଗର କାରଣ ସାଜିଛି। ଆଜି ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କଲା ଯେ, ସଚିବ ବଡ଼। ଅଭିଯୋଗ ଆସିଥିଲା ସଚିବଙ୍କ ବିରୋଧରେ କିନ୍ତୁ ପ୍ରତିକ୍ରିୟା ଦେଲେ ଆପଣ, ଜଣେ ମନ୍ତ୍ରୀ। ଦୁଇଟି ବିଭାଗର ମନ୍ତ୍ରୀ ଭାବରେ ଆପଣ କେତେଥର ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିପାରିଛନ୍ତି ବୋଲି ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟିକା

କୁସୁମ ଟେଟେ ପୁଣି କହିଛନ୍ତି, ଗତକାଲି ଆମ ଦଳ ତରଫରୁ ଯେଉଁ ବୈଧାନିକ ପ୍ରଶ୍ନ କରାଯାଇଥିଲା ତାହାର ଉତର ଆପଣ କେବେ ଦେବେ ? ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ ଦେବା ପାଇଁ, ଆମୋଦ ପ୍ରମୋଦ ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିପାରିବେ କି? ୧୪ମେ ଓ ୨୮ଜୁନ୍‌ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଥିଲେ ତାହା ଆପଣ ଆଜି ସ୍ପଷ୍ଟ କଲେ ଭଲ ହୁଅନ୍ତା ।

ମାତ୍ର ୬ମାସ ଭିତରେ ୭୫ଥର ସରକାରୀ ଅର୍ଥରେ ହେଲିକ୍ୟାପ୍ଟର, ସ୍ୱତନ୍ତ୍ର ବିମାନ, ଅତ୍ୟାଧୁନିକ ବିଜ୍‌ନେସ୍ ଜେଟ୍ ବ୍ୟବହାର ହୋଇଛି। ଏହାଦ୍ୱାରା ସାଧାରଣ ଓଡ଼ିଶା ଲୋକଙ୍କର କଣ ଲାଭ ହୋଇଛି? ଏହି ୭୫ଥର କେଉଁ କେଉଁମାନେ ହେଲିକ୍ୟାପ୍ଟରରେ ଯାତ୍ରା କରିଛନ୍ତି ତାହା ସ୍ପଷ୍ଟ କଲେ ଭଲ ହୁଅନ୍ତା। ଲୋକଙ୍କ ମନରେ “ଅନ୍ଧାରୀ ବିଜେ” କୁ ନେଇ ସନ୍ଦେହ ହେଲାଣି ।

୫-ଟି ସଚିବଙ୍କର ଜିଲ୍ଲାବୁଲା କାର୍ଯ୍ୟକ୍ରମରେ ଯେଉଁ ଭଳିଭାବେ ପାଖାପାଖି ୫୦୦କୋଟି ଟଙ୍କା ଅର୍ଥ ବରବାଦ ହେଲା ଏହା ଜନବିରୋଧୀ ନୁହେଁ କି ? ଆପଣଙ୍କ ପାଇଁ ଏହି ୫୦୦କୋଟି ଟଙ୍କା କମ୍ ହୋଇପାରେ କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ଏହା ବହୁତ ମୂଲ୍ୟବାନ। ଆସନ୍ତା ବିଧାନସଭାରେ ବିଜେପି ଏହାର କଡାଗଣ୍ଡା ହିସାବ ମାଗିବ ବୋଲି ଏକ୍ସ କରି ବିଜେପି ବିଧାୟିକା କୁସୁମ ଟେଟେ ବିଜେଡିକୁ ଟାର୍ଗେଟ କରିଛନ୍ତି।

Comments are closed.