Latest Odisha News

BREAKING NEWS

ଶୋଇବା ବେଳେ ମଶା ଘଉଡାଇବା ଧୂପ ହେଲା କାଳ, ଚିରନିଦ୍ରାରେ ସୁରକ୍ଷାକର୍ମୀ!

କେନ୍ଦୁଝର: ମଶା ଘୋଉଡାଇବାକୁ ବ୍ୟବହାର କରୁଥିବା ଧୂପ ନେଲା ଜୀବନ। ଏକ ଘରୋଇ କମ୍ପାନୀର ଜଣେ କାର ଚାଳକ ଏବଂ ଅନ୍ୟ ଜଣେ ସୁରକ୍ଷା କର୍ମୀ ଏକ ଘରେ ମଶା ଧୂପ ଲଗାଇ ଶୋଇଥିଲେ। ଏହି ସମୟରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ କାର ଚାଳକ ଜଣଙ୍କ ଗୁରୁତର ହୋଇ ପଡିଛନ୍ତି। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ମୃତକ ଜଣଙ୍କ ହରିଚନ୍ଦନପୁର ବ୍ଲକ କୁମାରନାଳି ଗ୍ରାମର ସହଦେବ ମହାନ୍ତ। ସେହିପରି ଗୁରୁତର ହୋଇଥିବା ଚାଳକ ଜଣଙ୍କ ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର ମାଝି (୩୦)।

ରାତିରେ ଶୋଇବାକୁ ଯିବା ବେଳେ ପ୍ରବଳ ମଶାର ସାମ୍ନା କରିଥିଲେ। ଶୀତ ଦିନ ଥିବାରୁ ଝରକା ବନ୍ଦ ରହିଥିଲା। କିନ୍ତୁ ଏହି ସମୟରେ ମଶାଙ୍କଠୁ ବର୍ତ୍ତିବାକୁ ଯାଇ ଲଗାଇଥିବା ମଶା ଧୂପ କାରଣରୁ ପ୍ରବଳ ଅଙ୍ଗାରକାମ୍ଳ କାରଣରୁ ସୁରକ୍ଷାକର୍ମୀ ଜଣଙ୍କ ଅଣ ନିଶ୍ବାସୀ ହୋଇ ପ୍ରାଣ ହରାଇଥିବା କୁହାଯାଉଛି।

ତେବେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର କମର ମହମଦ କହିଛନ୍ତି, ଚେତାଶୂନ୍ୟ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟ ଭର୍ତ୍ତି ହୋଇଥିଲେ। କିନ୍ତୁ ସୁରକ୍ଷା କର୍ମୀ ଜଣକ ଭର୍ତ୍ତି ହେବା ବେଳକୁ ମୃତ୍ୟୁ ଘଟି ସାରିଥିଲା। ଗୁରୁତର ସୁରେନ୍ଦ୍ର କିଛି ବିଷାକ୍ତ ଧୂଆଁ ନିଶ୍ୱାସରେ ନେଇଥିବାରୁ ଏପରି ଘଟିଥିବା ଅନୁମାନ କରୁଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଏକ ଇଟା ଭାଟିରେ ଶୋଇଥିବା ବେଳେ ଜେନରେଟର ଧୂଆଁର ଶିକାର ହୋଇ ଅଣ ନିଶ୍ବାସୀ ହୋଇପଡ଼ିଥିବାରୁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡ଼ି ଥିଲେ।

Leave A Reply

Your email address will not be published.