ନୂଆଦିଲ୍ଲୀ: ପ୍ରତିଷ୍ଠିତ ହେଲ୍ଥ ଜର୍ଣ୍ଣାଲ ଲାନସେଟର ଏକ ରିପୋର୍ଟରେ ଭାରତୀୟଙ୍କ ସମ୍ପର୍କରେ ଚାଂଚଲ୍ୟକର ଖୁଲାସା କରାଯାଇଛି । ଲାନସେଟ୍ ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ବୟସ୍କ ଭାରତୀୟ କୁଆଡେ ଶାରୀରିକ ଶ୍ରମ କରୁନାହାନ୍ତି । ସପ୍ତାହକ ମଧ୍ୟରେ ଦୁଇ, ଅଢେଇ ଘଂଟା ମଧ୍ୟମ ଧରଣର ଶାରୀରିକ ଶ୍ରମ ପାଇଁ ମଧ୍ୟ ଭାରତୀୟମାନେ କୁଣ୍ଠିତ । ଚାଲିବା, ବ୍ୟାୟାମ କରିବା, ଯୋଗ, ଦୌଡକୁଦ, ଜିମ୍ ବା ସନ୍ତରଣ ପାଇଁ ଭାରତୀୟମାନଙ୍କ ମଧ୍ୟରେ ଆଗ୍ରହ କମ୍ ବୋଲି ଲାନସେଟ ଗ୍ଲୋବାଲ ହେଲ୍ଥ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁସାରେ ପୁୁରୁଷଙ୍କ ଅପେକ୍ଷା ଶାରୀରିକ ଭାବେ ନିଷ୍କ୍ରିୟ ରହୁଥିବା ଭାରତୀୟ ମହିଳାଙ୍କ ସଂଖ୍ୟା ଅଧିକ । ୫୭ ପ୍ରତିଶତ ମହିଳା ଶାରୀରିକ ଶ୍ରମ ନକରି ଅନଫିଟ ରହୁଥିବା ବେଳେ ଏ କ୍ଷେତ୍ରରେ ପୁରୁଷଙ୍କ ପ୍ରତିଶତ ହେଉଛି ୪୨ । ଏହି ସଂଖ୍ୟା ଆଗ ଅପେକ୍ଷା ଅଧିକ ବଢିଛି । ଶାରୀରିକ ଭାବେ ଅନଫିଟ୍ ବୟସ୍କ ଭାରତୀୟଙ୍କ ସଂଖ୍ୟା ୨୦୦୦ ମସିହାରେ ୨୨ଦଶମିକ ୩ ପ୍ରତିଶତ ଥିଲା ବେଳେ ୨୦୨୨ ବେଳକୁ ଏହି ସଂଖ୍ୟା ବଢି ହୋଇଛି ୪୯ ଦଶମିକ ୪ ପ୍ରତିଶତ । ଏଭଳି ସ୍ଥିତି ଯଦି ନିୟନ୍ତ୍ରିତ ନହୁଏ, ତାହା ହେଲେ ୨୦୩୦ ମସିହା ସୁଦ୍ଧା ଆମଦେଶର ଜନସଂଖ୍ୟାର ୬୦ ପ୍ରତିଶତ ଲୋକ ବିଭିନ୍ନ ରୋଗରେ ପୀଡିତ ହେବା ଆଶଙ୍କା ରହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ କହୁଛି ଯେ, ସବୁ ବୟସ୍କ ସପ୍ତାହକୁ ଅତିକମରେ ୧୫୦ରୁ ୩୦୦ ମିନିଟ ମଧ୍ୟମ ଧରଣର ଶାରିରୀକ ବ୍ୟାୟାମ କରିବା ଦରକାର । ବିଡମ୍ବନାର ବିଷୟ ଯେ, ଦ୍ରୁତ ସହରୀକରଣ ଓ ଉପଭୋକ୍ତାବାଦର ସଂପ୍ରସାରଣ ପ୍ରଭାବ ଭାରତୀୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଛି ବୋଲି କହିଲେ ଭୁଲ୍ ହେବ ନାହିଁ । ଆରାମଦାୟକ ଜୀବନଶୈଳର ଆସକ୍ତି ଶାରୀରିକ ନିଷ୍କ୍ରିୟତା ସୃଷ୍ଟି କରିଛି ।
ସୂଚନାଯୋଗ୍ୟ ଯେ, ଭାରତୀୟମାନେ ଅନ୍ୟମାନଙ୍କ ଅପେକ୍ଷା ଖୁବ୍ ଶୀଘ୍ର ମଧୁମେହ ଓ ହୃଦରୋଗରେ ପୀଡିତ ହେବା ଆଶଙ୍କା ରହିଥାଏ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଶାରୀରିକ ନିଷ୍କ୍ରିୟତା ଯୋଗୁଁ ଆମେ ସମୟ ଆଗରୁ ହିଁ ମଧୁମେହ ଓ ହୃଦଜନିତ ରୋଗକୁ ଆମନ୍ତ୍ରଣ କରିଥାଉ ।
ଉଦବେଗର ବିଷୟ ଯେ, ବିଶ୍ୱରେ ଶାରୀରିକ ନିଷ୍କ୍ରିୟତା ହାରାହାରି ୫ ପ୍ରତିଶତ ବୃଦ୍ଧି ପାଇ ୩୧ ପ୍ରତିଶତରେ ପହଂଚିଥିବା ବେଳେ ଭାରତରେ ଏହା ୫୦ ପ୍ରତିଶତରେ ପହଂଚିଛି ।
ମହିଳାଙ୍କ ଶାରୀରିକ ନିଷ୍କ୍ରିୟତା ହାର ୫୭ ପ୍ରତିଶତ ରହିବା ପଛରେ ଭାରତୀୟ ପାରିବାରକ ସଂରଚନା ଓ ସାଂସ୍କୃତିକ କାରଣକୁ ଦାୟୀ କରାଯାଇପାରେ । ଘର ପରିବାର ସମ୍ଭାଳୁଥିବା ଭାରତୀୟ ମହିଳାମାନଙ୍କ ଯୁକ୍ତି ଯେ, ଘରର ନିତିନିଦିଆ କାମ ହିଁ ଶାରୀରିକ ସକ୍ରିୟତାର ମାପଦଣ୍ଡ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷେ ଏଭଳି ଯୁକ୍ତି ଗ୍ରହଣୀୟ ନୁହେଁ ।
ଭାରତୀୟଙ୍କ ଶାରୀରିକ ନିଷ୍କ୍ରିୟତା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଆର୍ଥିକ ସମୃଦ୍ଧି, ଦ୍ରୁତ ସହରୀକରଣ ଯୋଗୁଁ ସବୁ ଜିନିଷ ହାତ ପାଆନ୍ତାରେ ମିଳୁଛି । ଲୋକଙ୍କୁ ଆଉ ଜରୁରୀ ସାମାନ କିଣିବାକୁ ଦୂରକୁ ଯିବାକୁ ପଡୁନାହିଁ । ପୂର୍ବରୁ ଦେଶର ୬୦ ପ୍ରତିଶତ ଲୋକ କୃଷି ଓ କୃଷି ସହ ଅନ୍ୟ କାମ କରୁଥିଲେ । ହାଡଭଙ୍ଗା ପରିଶ୍ରମ କରୁଥିଲେ କୃଷକ । ଏବେ କିନ୍ତୁ କୃଷି କ୍ଷେତ୍ରରେ ମଧ୍ୟ ଆଧୁନିକ ଯନ୍ତ୍ରପାତି ଶାରୀରିକ ଶ୍ରମର ସ୍ଥାନ ନେଇସାରିଲାଣି । ତେଣୁ ଶାରୀରିକ ନିଷ୍କ୍ରିୟତା ବଢିବାରେ ଲାଗିଛି । ଲୋକେ ପୂୂର୍ବାପେକ୍ଷା ସ୍ୱାସ୍ଥ୍ୟ ସଚେତନ ହେଲେ ମଧ୍ୟ ସକାଳୁ ସକାଳୁ ପାର୍କରେ ହାତଗଣତି କିଛି ଲୋକ ହିଁ ବ୍ୟାୟାମ କରୁଥିବା ଦେଖାଯାଆନ୍ତି । ଇଲେକ୍ଟ୍ରୋନିକ ମିିଡିଆର ପ୍ରସାର, ସ୍ମାର୍ଟ ଫୋନ୍ ଓ ସୋସିଆଲ ମିଡିଆ ଜାଲରେ ଫସି ଲୋକେ ଡେରିରେ ଶୋଇ ଡେରିରେ ଉଠନ୍ତି । ଶରୀରର ପ୍ରାକୃତିକ ସମୟ ଚକ୍ର ବିଗିଡି ଯାଇଥିବାରୁ ମଣିଷ ଅଳସୁଆ ହୋଇପଡିଛି । ଅତିକମରେ ଯଦି ଅଧଘଂଟା ସମୟ ବ୍ୟାୟାମ ପାଇଁ ଦେବା, ତାହା ହେଲେ ଆଳସ୍ୟରୁ ଆମେ ମୁକୁଳିପାରିବା ।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.