Latest Odisha News

BREAKING NEWS

କିଟ୍ ଇଣ୍ଟର ନ୍ୟାସନାଲ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ବିଭାଗ

ଭୁବନେଶ୍ବର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଉଦଘାଟିତ ହୋଇଛି ସ୍ପେଶାଲ ଏଜୁକେଶନ ନିଡସ (ଏସଇଏନ୍) ଗ୍ଲୋବ । ଏଥିରେ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଉପଚାରାତ୍ମକ ଚିକିତ୍ସା ସହ ଶିକ୍ଷା ପ୍ରଦାନ କରାଯିବ । ନ୍ୟାସନାଲ ସେଣ୍ଟର ଫର୍ ଅଟିଜିମର ପ୍ରତିଷ୍ଠାତା ନିର୍ଦ୍ଦେଶିକା ମେରି ବରୁଆ, ପଶ୍ଚିମବଙ୍ଗ ଅଟିଜିମ୍ ସୋସାଇଟିର ପ୍ରତିଷ୍ଠାତା ନିର୍ଦ୍ଦେଶିକା ଇନ୍ଦ୍ରାଣୀ ବାସୁ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ଡକ୍ଟର ମୋନାଲିସା ବଳଙ୍କ ଉପସ୍ଥିତିରେ ଏହି ବିଭାଗ ଉଦଘାଟିତ ହୋଇଛି ।

ଏହି ବିଭାଗ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଶିଶୁଙ୍କ ପଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏହା ମାଧ୍ୟମରେ ବିଶ୍ବକୁ ଅନ୍ତର୍ଭୁକ୍ତି କଣ ତାହା ଦେଖାଇ ଦିଆଯାଇପାରେ । ଏହି ଅବସରରେ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ ଯେ, ସମଗ୍ର ପୂର୍ବାଞ୍ଚଳରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରକୃତରେ ଅନ୍ତର୍ଜାତୀୟ । ଏହି ସବୁ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଆସିଛି । ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ ସହାୟକ ବୋଲି କହିଛନ୍ତି ଅଚ୍ୟୁତ ସାମନ୍ତ ।

ଏହି ବିଭାଗରେ ପ୍ରାୟ ୭୦ ଜଣ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ୨୬ ଜଣ ପ୍ରଫେସନାଲଙ୍କୁ ନିଯୁକ୍ତ ଦିଆଯାଇଛି । ଏମାନଙ୍କ ମଧ୍ୟରେ କେତେକ ଛାତ୍ରଛାତ୍ରୀଙ୍କ ପଢ଼ିବାରେ ସମସ୍ୟା ରହିଥିବା ବେଳେ, ଆଉ କେତେକଙ୍କ ଠାରେ ପାଠପଢ଼ାରେ କମ୍ ଧ୍ୟାନ ଦେଇପାରିବା, ମାନସିକ ଅନଗ୍ରସର ଓ ଧୀଶକ୍ତିର ଅଭାବ ରହିଛି । ଏହି ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅକୁପେସନାଲ ଥେରାପି, ସ୍ପିଚତ ଥେରାପି, ସ୍ପେଶାଲ ଏଜୁକେଶନ, କଗ୍ନିଟିଭ୍ ଥେରାପି, ବ୍ୟବହାରରେ ଉନ୍ନତି ଆଣିବା ଏବଂ ପରାମର୍ଶ ଦେବା ଆଦି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ଡକ୍ଟର ମୋନାଲିସା ବଳ ।

Leave A Reply

Your email address will not be published.