କଟକ: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ସର୍ଭିସେସ ନିକଟରୁ ପରାଜିତ ହୋଇଛି । ପରାଜୟ ସହ ଓଡିଶାର ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶା ଧୂଳିସାତ ହୋଇଛି । ସର୍ଭିସେସର ବ୍ୟାଟ୍ସମ୍ୟାନମାନେ ବିଶେଷ କରି ଶୁଭମ ରୋହିଲ୍ଲାଙ୍କ ଦ୍ୱିଶତକ ଏବଂ ଅନ୍ୟମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦଳ ଏକ ରେକର୍ଡ ବିଜୟ ହାସଲ କରିଛି । କୌଣସି ୱିକେଟ ନ ହରାଇ ସର୍ଭିସେସ ୪ର୍ଥ ଇନିଂସରେ ୩୭୬ ରନ ଚେଜ କରି ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ନୂଆ ରେକର୍ଡ । ପୂର୍ବରୁ ପାକିସ୍ତାନର ସାର୍ଗୋଧର ୧୯୯୯ରେ ଲାହୋର ସିଟି ବିପକ୍ଷରେ ୩୩୧ ରନ ଚେଜ କରିଥିଲା ।
ଓଡିଶାର ପ୍ରଥମ ଇନିଂସ ସ୍କୋର ୧୮୦ ରନ ଜବାବରେ ସର୍ଭିସେସ ୧୯୯ ରନ କରିଥିଲା । ଓଡିଶା ଦ୍ୱିତୀୟ ଇନିଂସରେ ୩୯୪ ରନ କରିବା ଫଳରେ ସର୍ଭିସେସ ସମ୍ମୁଖରେ ଉପରୋକ୍ତ ଟାର୍ଗେଟ ରହିଥିଲା । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ସର୍ଭିସେସ କୌଣସି ୱିକେଟ ନ ହରାଇ ୪୬ ରନ କରିଥିଲା । ଅନ୍ତିମ ଦିବସରେ ବିଜୟ ଦଳ ୩୪୬ ରନ ଆବଶ୍ୟ କରୁଥିଲା । ରୋହିଲ୍ଳା ୩୦ ଚୌକା ସହାୟତାରେ ୨୭୦ ବଲରେ ୨୦୯ ରନ କରି ଅପରାଜିତ ରହିଥିଲେ । ସୂରଜ ବଶିଷ୍ଟ ୧୫୪ ରନ କରି ଶେଷ ପର୍ଯ୍ୟନ୍ତ ନଟ ଆଉଟ ରହିଥିଲେ । ବିଜୟ ସହ ସର୍ଭିସେସ ୭ ପଂଏଟ ହାସଲ କରିଛି । ପଂଏଟ ଟେବୁଲରେ ୭ଟି ମ୍ୟାଚରୁ ୨୩ ପଂଏଟ ୪ର୍ଥ ସ୍ଥାନରେ ରହିଛି । ଓଡିଶା ୭ଟି ମ୍ୟାଚରୁ ୧୭ ପଂଏଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି ।
Comments are closed.