କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂର୍ନବାର ଘରୋଇ ପରିବେଶର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାରି ନାହିଁ । ସର୍ଭିସେସ ବିପକ୍ଷ ମ୍ୟାଚରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୧୮୦ ରନରେ ଅଲଆଉଟ ହୋଇ ଯାଇଥିଲା । ରାଜେଶ ମହାନ୍ତିଙ୍କ ୬୦ ରନର ଇନିଂସ ଯୋଗୁ ଓଡିଶା ଏକ ଆଭରେଜ ସ୍କୋର କରିପାରି ଥିଲା । ଆଶୀର୍ବାଦ ସ୍ୱାଇଁ ୨୮, ରାଜେଶ ଧୂପର ୧୬, ସୁନୀଲ ରାଉଳ ୧୯ ରନ କରିଥିଲେ । ସୁମିତ ଶର୍ମା ୧୬ ରନ କରି ଅପରାଜିତ ରହିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ସର୍ଭିସେନ ତରଫରୁ ସବୁଠାରୁ ସଫଳ ବୋଲର ଭାବେ ପୂନମ ପୂନିଆ ୪ଟି ୱିକେଟ ନେଇଥିବା ବେଳେ ଜୟନ୍ତ ଗୋୟାତ ୩ଟି ୱିକେଟ ନେଇଥିଲେ ।
ଜବାବରେ ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ସର୍ଭିସେସ ୨ ୱିକେଟ ବିନିମୟରେ ୮୫ ରନ ସଂଗ୍ରହ କରିଛି । ଦଳ ଏବେ ମଧ୍ୟ ଓଡିଶା ସ୍କୋରଠାରୁ ୯୫ ରନ ପଛରେ ରହିଛି । ରବି ଚୌହ୍ୱାନ ୪୦ ଓ ଅର୍ଜୁନ ଶର୍ମା ୭ ରନ କରି ଅପରାଜିତ ରହିଛନ୍ତି । ଓଡିଶା ପକ୍ଷରୁ ତାପସ ଦାସ ଓ ସୁନୀଲ ରାଉଳ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଏଲିଟ ଗ୍ରୁପ ଏରେ ସ୍ଥାନ ପାଇଥିବା ଓଡିଶା ୬ ମ୍ୟାଚରୁ ୧୭ ପଂଏଟ ହାସଲ କରି ୪ର୍ଥ ସ୍ଥାନରେ ରହିଛି । ଜମ୍ମୁ ଏବଂ କଶ୍ମୀର ୬ ମ୍ୟାଚରୁ ୨୯ ପଂଏଟ ହାସଲ କରି ଶୀର୍ଷରେ ରହିଛି ।
Comments are closed.